Unknown

 

 

 

 

 

 

 

 

 

 

ଦର୍ପଚୂର୍ଣ୍ଣ

ଶରତ ଚନ୍ଦ୍ର

 

 

 

 

 

 

 

ମୋର ଚିର ହିତାକାଂକ୍ଷୀ, ପରମାରାଧ୍ୟ ବାଲ୍ୟଗୁରୁ

ଶ୍ରୀଯୁକ୍ତ ବାଞ୍ଛାନିଧି ସ୍ଵାଇଁଙ୍କ ମହନୀୟ ନାମରେ ଉତ୍ସର୍ଗ ।

 

କରିମ୍‌

 

ଏକ

 

ସନ୍ଧ୍ୟାବେଳେ ଇନ୍ଦୁମତୀ ବେଶ୍‌ ସାଜସଜା ହେଇ ତା’ ସ୍ଵାମୀଙ୍କ ବୈଠକଖାନା ଭିତରକୁ ପଶିଆସି ପଚାରିଲା—କ’ଣ କରୁଛ ?

 

ନରେନ୍ଦ୍ର ଖଣ୍ଡେ ମାସିକ ପତ୍ରିକା ପଢ଼ୁଥିଲେ । ପ୍ରଶ୍ନ ଶୁଣି ମୁହଁ ଟେକି ନିଶବ୍ଦରେ କ୍ଷଣକ ଯାଏଁ ସ୍ତ୍ରୀ ମୁହଁକୁ ଚାହିଁରହି ସେଖଣ୍ଡି ତାଙ୍କ ହାତକୁ ବଢ଼ାଇ ଦେଲେ ।

 

ଇନ୍ଦୁ ଖୋଲା ହେଇଥିବା ପୃଷ୍ଠା ଉପରେ ଆଖି ବୁଲାଇ ନେଇ, ଭ୍ରୂକୁଞ୍ଚନ କରି ବିସ୍ମୟ ପ୍ରକାଶ କରି କହିଲା—ତୁମେ କବିତା ଲେଖ ? ବେଶ୍‌ ଭଲକଥା, ବୃଥାରେ ବସି ବସି ସମୟ କଟାଇବା ଅପେକ୍ଷା ଏ ବରଂ ଭଲ । ଦେଖେ, ଏଇଟା କି ପତ୍ରିକା ? ସରସ୍ଵତୀ ! ବୋଧହୁଏ ସ୍ୱ ପ୍ରକାଶ ଛାପିବାକୁ ମନାକଲା ?

 

ନରେନ୍ଦ୍ରର ମୁହଁ ଦୁଃଖରେ ମ୍ଳାନ ପଡ଼ିଗଲା ।

 

ଇନ୍ଦୁ ପୁଣି ଥରେ ପଚାରିଲା—‘ସ୍ଵ ପ୍ରକାଶ’ ତାହେଲେ ଫେରାଇ ଦେଲା ?

 

ସେଠାକୁ ତ ମୁଁ ପଠାଇନି ।

 

ପଠାଇ ଥରେ ଦେଖିଲନି କାହିଁକି ? ‘ସ୍ଵ ପ୍ରକାଶ’ ସରସ୍ଵତୀ ଅପେକ୍ଷା ଯଥେଷ୍ଟ ଭଲ ପତ୍ରିକା । ମୁଁ ତ ସେଥିପାଇଁ ଯାହି ତାହି ପତ୍ରିକା ନ ପଢ଼ି କେବଳ ‘ସ୍ଵ ପ୍ରକାଶ’ ପଢ଼େ । ତା’ପରେ ସାମାନ୍ୟ ହସି କହିଲା—ନିଜ ଲେଖାକୁ ନିଜେ ଖୁବ୍‌ ମନଯୋଗ ଦେଇ ପଢ଼ୁଥିଲ ତ ! ହଉ ଭଲକଥା । ମୁଁ କୋଉକଥା କହିବାକୁ ଆସି ତା ବଦଳରେ ସାହିତ୍ୟ ଚର୍ଚ୍ଚା କରି ବସିଲିଣି । କଣ କହୁଥିଲି କି, ମୁଁ ବିମଳାଙ୍କ ସହିତ ସିନେମା ଯାଉଛି; କମଳା ଶୋଇପଡ଼ିଛି, କବିତା ଭୋଳରେ ତା କଥା ଯେମିତି ଭୁଲି ନଯାଅ । ପିଲାଟା ଆଡ଼ିକି ଟିକିଏ ନଜର ରଖିଥିବ, ମୁଁ ଚାଲିଲି ।

 

ନରେନ୍ଦ୍ର ପତ୍ରିକାଟି ବନ୍ଦକରି ଟେବୁଲ ଉପରେ ରଖି ଦେଇ କହିଲା—ହଉ ଯାଅ ।

 

ଇନ୍ଦୁ ଚାଲି ଯାଉ ଯାଉ ପଛରୁ ଗୋଟାଏ ଦୀର୍ଘ ନିଶ୍ଵାସର ଶବ୍ଦ ଶୁଣିପାରି ଠିଆ ହୋଇ ପଡ଼ି ପଛକୁ ଚାହିଁ କହିଲା—ଯେତେ ବେଳେ କୁଆଡ଼େ ଟିକିଏ ବାହାରିଲେ ତୁମେ ଏମିତ ହତାଶିଆ ଦୀର୍ଘନିଃଶ୍ଵାସ ଛାଡ଼ି କାହିଁକି କହିଲ ? ତମ ମନରେ ଯେବେ ନଥାଏ, ମୁହଁ ଖୋଲି ମନା କରି ଦିଅନି କାହିଁକି ? ଏମିତି ଲୋକ ପାଖରେ ରହିବା ଯାହା, ବଞ୍ଚି ଥାଇ ମରିବା ସେୟା । ମଣିଷ ଟିକିଏ ଅୟସ କରି ପାରିଲାନି, ସବୁବେଳେ ଖାଲି ଅମଙ୍ଗଳ କଥା । ଏ ଘରେ ସତ କହୁଛି ମୁଁ ଆଉ ଚଳିପାରିବି ନାହିଁ । ଆଜି ବାପାଙ୍କ ପାଖକୁ ଚିଠି ଲେଖି ଦେଉଛି ସେ ମତେ ଆସି ଏଠୁଁ ନେଇଯିବେ-

 

ନରେନ୍ଦ୍ର ମୁହଁ ଟେକି ନୀରବରେ କେବଳ ସ୍ତ୍ରୀର ମୁହଁକୁ ଚାହିଁ ରହିଲା, ପଦେ ହେଲେ କିଛି କହିଲା ନାହିଁ । ଇନ୍ଦୁ ରାଗରେ ତାଙ୍କ ଉପରେ ତୀକ୍ଷ୍‌ଣ ଦୃଷ୍ଟି ହାଣି ତମତମ ହେଇ ଚାଲିଗଲା । ନରେନ୍ଦ୍ର କିଛି ସମୟ ଯାଏଁ ତା’ର ଯିବା ବାଟକୁ ନିର୍ବାକ ହେଇ ଚାହିଁ ରହିବା ପରେ ପୁଣିଥରେ ଦୀର୍ଘନିଶ୍ଵାସ ଛାଡ଼ି ମୁହଁ ତଳକୁ ପୋତିଲା ।

 

ନରେନ୍ଦ୍ରର ମାମୁଁ ଝିଅ ଭଉଣୀ ବିମଳା ଇନ୍ଦୁର ସାଙ୍ଗ । ସଦର ରାସ୍ତାର ମୋଡ଼ ଉପରେ ହିଁ ତାଙ୍କର ଘର । ଇନ୍ଦୁ ରିକ୍‌ସା ଅଟକାଇବାକୁ କହି ବିମଳାର ଘର ଭିତରେ ପଶିଗଲା । ବିମଳା ଘରକାମରେ ବ୍ୟସ୍ତଥିବା ଦେଖି ଇନ୍ଦୁ ସାମାନ୍ୟ ବିରକ୍ତ ହେଇ କହିଲା—ଏ କଣ ବିମଳା ! ଏ ପର୍ଯ୍ୟନ୍ତ ତୋର ଘର କାମ ସରିନି ? ଲୁଗାପଟା ଆଉ ବଦଳିବ କେତେବେଳେ, ସିନେମା ଯିବ କେତେବେଳେ ? ଖବର ପାଇନ ନା କଣ ?

 

ବିମଳା ସଲଜ୍ଜ ହସ ହସି କହିଲା—ପାଇଥିଲି ଯେ, କିନ୍ତୁ କଣ କରିବି, ଘରକାମ ନସରିଲେ ଯିବି କେମିତି ? ସିଏ ବି ଏଇଲାଗେ ବୁଲିବା ପାଇଁ ବାହାରି ଗଲେ । ସେ ଫେରି ନଆସିଲା ଯାଏଁ ମୋର ବି ଯିବା ସମ୍ଭବ ନୁହେଁ । ଆଉ ବେଶୀ ନାହିଁ, ଏଇ ଅଳ୍ପ ଟିକିଏ ଡେରି ହେବ, ତମେ ବସ ।

 

ଇନ୍ଦୁ ମନେ ମନେ ଅତିଶୟ ବିରକ୍ତ ହେଇ କହିଲା—ଓ ମାଲିକଙ୍କର ଅନୁମତି ମିଳିନି ବୋଧହୁଏ !

 

ବିମଳାର ସୁଢ଼ଳ ସୁନ୍ଦର ମୁହଁଟି ସ୍ନିଗ୍‌ଧ ମଧୁର ହସରେ ଭରିଗଲା । ସେ ଇନ୍ଦୁର କଟୁକ୍ତିରେ ବିବ୍ରତ ନ ହେଇ ହସି କହିଲା—ଏ ଦାସୀ ଏପର୍ଯ୍ୟନ୍ତ ଦରଖାସ୍ତ ପେଶ୍‌ କରିନି, କଲେ ନାମଞ୍ଜୁର ହେବନି ବୋଲି ମୋର ଦୃଢ଼ ଭରସା ଅଛି ।

 

ଇନ୍ଦୁ ଆହୁରି ବିରକ୍ତ ହେଇ ପଚାରିଲା—ତେବେ ଏ ପର୍ଯ୍ୟନ୍ତ ଦରଖାସ୍ତ ପେଶ୍‌ ହେଇନି କାହିଁକ ଶୁଣେ ? ତମ ପାଖକୁ ତ ଖବର ମୁଁ ଦି ପହରୁ ପଠାଇଲିଣି !

 

ସତ ଯେ, କିନ୍ତୁ ମୋର ହଠାତ୍‌ କହିବାକୁ ସାହସ ହେଲାନି । ସେ ସେଇଲାଗେ ଅଫିସରୁ ଫେରି କହିଲେ—ମୁଣ୍ଡଟା କେମିତି ଟିକିଏ ଭାରି ଲାଗୁଛି । ଭାବିଲି, ଚା’-ଜଳଖିଆ ଖାଇ ଟିକିଏ ଯାଇ ବାହାରେ ବୁଲାବୁଲି କରି ଫେରି ଆସନ୍ତୁ—ମନଟା ଟିକିଏ ପ୍ରଫୁଲ୍ଲ ହେଉ, ତାପରେ ଜଣାଇବି । ଏଇଲେ ସିନେମା ତ ଆହୁରି ବହୁତ ଡେରିଅଛି । ତମେ ଏଠି ଟିକିଏ ବସିଥାଅ ନା ଭାଉଜ ? ସିଏ ଫେରି ଆସିବା ସାଙ୍ଗେ ସାଙ୍ଗେ ବାହାରି ପଡ଼ିବା ।

 

ଇନ୍ଦୁ ମନେମନେ ବିରକ୍ତ ହୋଇ କହିଲା—କେମିତି ତମକୁ ହସ ଲାଗୁଛି କେଜାଣି । ମୁଁ ହୋଇଥିଲେ ଏ ଘରେ ନରହନ୍ତି ସିନା, କିନ୍ତୁ ଏମିତି— । ଆଚ୍ଛା ବିମଳା, ଚାକର ଚାକରାଣୀତ ଅଛନ୍ତି, ଆସିଲେ ସେମାନେ କଣ କହି ଦେବେନି ?

 

ବିମଳା ଜିଭ କାମୁଡ଼ି ପକାଇ କହିଲା—ତା’ ହେଲେ ମତେ ଏ ଘରେ ସେ ଆଉ ରଖିବେ ନା ? ଘରୁ ନିକାଲି ବାହାର କରିଦେବେ—ଏ ଜନ୍ମରେ ଆଉ ମୁହଁ ଚାହିଁବେ ନାହିଁ ।

 

ଇନ୍ଦୁ ଅବାକ୍‌ ହେଇ କହିଲା—ବାହାର କରିଦେବେ ! କୋଉ ଆଇନ୍‌ ବଳରେ କୋଉ ଅଧିକାରରେ ଶୁଣେ ?

 

ବିମଳା ନିତାନ୍ତ ସହଜ ସ୍ଵାଭାବିକ ସ୍ଵରରେ ଜବାବ ଦେଲା—ଆଇନ୍‌ ଅଧିକାରର ଦରକାର କଣ ଭାଉଜ, ସେ ହେଉଛନ୍ତି ଘରର ମାଲିକ—ଆମେ ତାଙ୍କର ସେବାକାରୀ ଚଳିବା କଥା । ସେ ଯେବେ ରାଗରେ ଘରୁ ତଡ଼ି ଦେବେ, ଆମର କି ଅଧିକାର ଅଛି ପାଟି ଫିଟାଇବାକୁ କହତ ।

 

ଅଧିକାର ନାହିଁ ! ଅଲବତ୍‌ ଅଛି । ଦେଶରେ ଆଉ ତାହେଲେ ଶାସନ କାହିଁକି ଅଛି । ଆଇନ ଅଦାଲତ କାହିଁକି ଅଛି । ତାଙ୍କର ଘରେ ଯେତିକି ଅଧିକାର ଆମର ବି ସେତିକି ଅଧିକାର । ଛାଡ଼ ସେକଥା, ତମେ ଆଗେ କୋଉ ମୁହଁରେ ନିଜକୁ ଏତେ ଦୁର୍ବଳ ବୋଲି ଉଚ୍ଚାରଣ କରୁଛ କହିଲ-? ଟିକିଏ ଲାଜ ଲାଗେନା ? ସ୍ଵାମୀ ହେଲେ ବୋଲି କଣ ‘ମୋଗଲ ବାଦଶା’ ହୋଇଗଲେ-? ଆଉ ଆମେ ସ୍ତ୍ରୀ ହେଲୁ ବୋଲି କଣ ପୋଇଲି ପରିବାରୀଙ୍କଠୁଁ ବି ହୀନ ହେଇ ଗଲୁ ? ନିଜକୁ ଏମିତି ତୁଚ୍ଛ ବୋଲି କହିବାରେ ତମେ ସତରେ କଣ ଗୌରବ ଅନୁଭବ କରୁଛ ବିମଳା-?

ଇନ୍ଦୁର ଏଇ ବିରକ୍ତିରେ ବିମଳା ମନେ ମନେ ଆନନ୍ଦିତ ହୋଇ କହିଲା—ତୁମ ନଣନ୍ଦ ଯେ ମୁର୍ଖ ମାଇପିଟାଏ ଭାଉଜ ! ସେଇଥି ପାଇଁ ସେ ନିଜକୁ ନିଜ ସ୍ଵାମୀର ଦାସୀ ବୋଲି ଭାବିବାରେ ଗୌରବ ଅନୁଭବ କରୁଛି । ଆଚ୍ଛା ଭାଉଜ, ତମେ ଯେ ଏତେ କଥା କହି ଯାଉଛ, ତମେ କଣ ମୋ ଭାଇଙ୍କର ଅନୁମତି ନ ନେଇ ଚାଲି ଆସିଛ ?

ଅନୁମତି ? ଅନୁମତି କଣ ଦରକାର ? ସେ ନିଜେ ଯେତେବେଳେ କୁଆଡ଼େ ଯାଆନ୍ତି, ମୋର ଅନୁମତି ପାଇଁ କଣ ଅପେକ୍ଷା କରନ୍ତି । ମୁଁ ସିନେମା ଯାଉଛି, କେବଳ ଏତିକି ଜଣାଇ ଦେଇ ଚାଲି ଆସିଲି । ଟିକିଏ ଚୁପ୍‌ ରହି ପୁଣି କହିଲା—ତେବେ ଏକଥା ମୁଁ ମାନିବି ଯେ, ମୋ ସ୍ଵାମୀଙ୍କ ଭଳି ଗୁଣବାନ ସ୍ଵାମୀ ଖୁବ୍‌ କମ୍‌ ଝିଅଙ୍କ ଭାଗ୍ୟରେ ଜୁଟନ୍ତି । ମୋ ଇଚ୍ଛାରେ ସେ କେବେ ହେଲେ ବାଧା ଦିଅନ୍ତିନି । ସିଏ ଯେବେ ସେମିତି ନ ହୋଇଥାଆନ୍ତେ, ଅବିବେକୀ ଭଳି କାମକରନ୍ତେ ନା, ସତ କହୁଛି ଅପା, ମୁଁ ମୋ ନିଜର ସମ୍ମାନ ଷୋଳଅଣା ବଜାୟ ରଖି ପାରନ୍ତି, ଆଉ ତୁମଭଳି ଏଇଟା ଭୁଲି ଯାଆନ୍ତିନି ଯେ ମୁଁ ସଙ୍ଗିନୀ, ସହଧର୍ମିଣୀ—କିଣାଦାସୀ ନୁହେଁ । ଜାଣ ବିମଳା, ଏଇ କାରଣରୁ ହିଁ ଆମ ଦେଶର ଝିଅମାନେ ଆଜି ପୁରୁଷର ପାଦତଳେ ମୁଣ୍ଡ ନୁଆଁଇ ଏତେ ତୁଚ୍ଛ, ଏମିତି ଖେଳକଣ୍ଢେଇ ହୋଇ ଯାଇଛନ୍ତି । ନିଜର ମାନ ମର୍ଯ୍ୟଦା ନିଜେ ନ ରଖିଲେ, ଅନ୍ୟକେହି କଣ ରଖିଦେଇ ପାରେ ? ମୋ ସ୍ଵାମୀ ଏମିତି ଧରଣର ଲୋକ ହୋଇ ମଧ୍ୟ ମୁଁ ତାଙ୍କୁ ଭୁଲରେ ସୁଦ୍ଧା ଏକଥା ଭାବିବା ପାଇଁ ଅବକାଶ ଦିଏନି ଯେ ସେ ପ୍ରଭୁ ଆଉ ମୁଁ ତାଙ୍କର ବନ୍ଦିନୀ ସ୍ତ୍ରୀ । ପୁରୁଷମାନଙ୍କ ପରି ଆମ ନାରୀ ଦେହରେ ବି ଭଗବାନ ଅଛନ୍ତି ଏକଥା ମୁଁ ନିଜେ ଭୁଲି ଯାଏନି କି ତାଙ୍କୁ କେବେ ଭୁଲ କରିବା ପାଇଁ ଦିଏନି ।

ବିମଳା ନୀରବରେ ସବୁ କଥା ଶୁଣି ଶେଷରେ ଗୋଟାଏ ଦୀର୍ଘନିଶ୍ଵାସ ଛାଡ଼ିଲା, କିନ୍ତୁ ସେଥିରେ ତା’ର ଲଜ୍ଜା ବା ଅନୁଶୋଚନା କିଛି ପ୍ରକାଶ ପାଇଲା ନାହିଁ । ତା’ ପରେ କହିଲା, ଆତ୍ମସମ୍ମାନ କେମିତି ବଜାୟ ରଖିବାକୁ ହୁଏ ମୋତେ ଜଣାନାହିଁ ଭାଉଜ, କେବଳ ଏତିକି ଜାଣେ ଯେ ମୁଁ ତାଙ୍କ ପାଦତଳେ ମୋର ଜୀବନ ସମର୍ପଣ କରି ପାରିଛି । ହେଇଟି, ସିଏ ତ ଆସିଲେଣି ! ଆଉ ଟିକିଏ ବସ୍‌ ମୁଁ ଯାଇ ତାଙ୍କର ଅନୁମତି ନେଇଆସେ । କହି, ମୁହଁ ଚିପି ହସି ସେଠାରୁ ଚାଲିଗଲା ।

ସେ ହସ ଇନ୍ଦୁର ଦୃଷ୍ଟି ଏଡ଼ାଇ ନେଇ ପାରିଲାନି । ରାଗରେ ତା ଦେହର ରକ୍ତ ଟକ୍‌ ଟକ୍‌ ହେଇ ଫୁଟିବାକୁ ଲାଗିଲା ।

ସିନେମା ଦେଖି ଫେରିବା ସମୟରେ ଇନ୍ଦୁ ପଚାରିଲା—ଆଚ୍ଛା ବିମଳା, ଅନୁମତି ମିଳିନଥିଲେ ତ ତୁମେ ଆସିପାରି ନଥାନ୍ତ ?

ବିମଳା ଅନ୍ୟମନସ୍କ ହେଇ ଆଗକୁ ଚାହିଁ କଣ ଭାବୁଥିଲା କେଜାଣି, ଇନ୍ଦୁର କଥାଶୁଣି କହିଲା—ନା ।

ସେଇକଥା ମୁଁ ଭାବୁଛି ବିମଳା, ମୁଁ ଯେତେବେଳେ ସେତେବେଳେ ଆସି ତୁମକୁ ସାଙ୍ଗରେ ଧରି ଚାଲିଯାଏ ବୋଲି ନଣନ୍ଦେଇ ଆମର ମୋ ଉପରେ ଭାରି ରାଗୁଥିବେ ନିଶ୍ଚୟ ।

ବିମଳା ମୁହଁ ବୁଲାଇ ଇନ୍ଦୁକୁ ଚାହିଁ କହିଲା—ତା’ ହେଲେ ମୁଁ ତୁମ ସାଙ୍ଗରେ ଆସନ୍ତି ନାହିଁ ଭାଉଜ । ବରଂ ମୋରଭୟ ହୁଏ ଯେ ତୁମେ ଏମିତି ଭାବରେ ଚାଲିଆସ ବୋଲି ନରେନ୍ଦ୍ର ମୋ ଉପରେ ବିରକ୍ତ ହେଉଥିବ ।

ଇନ୍ଦୁ ଗର୍ବରେ ଛାତି ଫୁଲାଇ କହିଲା—ତୁମ ଭାଇଙ୍କର କିନ୍ତୁ ସେମିତି ପ୍ରକୃତି ନୁହେଁ ! ଏକେତ ସେ ନିଜ ଅଧିକାରର ବାହାରେ ପାଦ ଦିଅନ୍ତି ନାହିଁ । ତା ଛଡ଼ା, ମୋ ଉପରେ ରାଗ କରିବେ ଏ ସ୍ପର୍ଦ୍ଧା ତାଙ୍କ ମନରେ ସ୍ୱପ୍ନରେ ସୁଦ୍ଧା ଜାତ ହୁଏ ନାହିଁ । ଏହା ମୁଁ ଭଲଭାବରେ ଜାଣେ ।

ବିମଳା ମିନିଟିଏ ଦି ମିନିଟ୍‌ ଚୁପ୍‌ ରହି, ନିଶ୍ଵାସ ଛାଡ଼ି ଆସ୍ତେ ଆସ୍ତେ କହିଲା—ଭାଉଜ, ଭାଇ ସତେ ତୁମକୁ କେଡ଼େ ଭଲ ନପାଆନ୍ତି ! କିନ୍ତୁ ତୁମେ ବୋଧହୁଏ—

ଏତେବେଳକେ ଇନ୍ଦୁର ମୁହଁରେ ହସ ଫୁଟି ଉଠିଲା । କହିଲା—ତମ କଥା ମୁଁ ଅସ୍ଵୀକାର କରୁନି, କିନ୍ତୁ ତୁମର ମୋ ଉପରେ ଏମିତି ସନ୍ଦେହ ଜାତ ହେଲା କାହିଁକି ?

ତା’ ଜାଣେନି ଭାଉଜ ! କିନ୍ତୁ ମୋର ଯେମିତ ମନେହୁଏ—କାହିଁକ ସେମିତି—ମନହୁଏ ଜାଣ ବିମଳା ? ତୁମପରି ତୁମ ଭାଇଙ୍କ ପାଦ ତଳେ ନିଜକୁ ବଳିଦେଇ ମୁଁ ଭଲ ପଇବାଟା ଆଦାୟ କରିନି ବୋଲି । ଭଗବାନ କରନ୍ତୁ, ମୁଁ ଯେମିତି ମୋର ନାରୀ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରି ସେମିତି ଭଲ ପାଇବାଟାକୁ ମୁଣ୍ଡ ଟେକି ଉଠିବାକୁ ପ୍ରଶ୍ରୟ ନ ଦିଏ । ପ୍ରକୃତରେ ସେ ପ୍ରକାର ଭଲପାଇବାଟାକୁ ମୁଁ ଭାରି ଘୃଣାକରେ । ସେଭଳି ଭଲପାଇବାଟା ଯେ ମୋର ସ୍ଵାଧୀନ ସତ୍ତା ଉପରେ ଆଞ୍ଚ ଆଣିବ ଏ ଭୟ ମୋରଅଛି ।

ବିମଳା ମନେ ମନେ ଶିହରି ଉଠିଲା ।

କିଛି ସମୟ ନୀରବ ରହି ଇନ୍ଦୁ ପୁଣି କହିଲା—କଥା କହୁନ କାହିଁକି ବିମଳା ? କଣ ଭାବୁଛ କି ?

କିଛି ନାହିଁ ଭାଉଜ । ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ମୋ ଭାଇ ତୁମକୁ ସବୁଦିନ ଏମିତି ଭଲ ପାଉଥାଉ ! କାହିଁକି ଜାଣ ? ଝିଅ ମାନଙ୍କର ସ୍ଵାମୀ ସୋହାଗ ଠାରୁ ବଳି ଆଉ ବଡ଼ ଜିନିଷ ଜଗତରେ କିଛି ନାହିଁ । କ୍ଷଣେ କାଳ ଚୁପ୍‌ ରହି ବିମଳା ପୁଣି କହିଲା—ତୁମର ସେ ନାରୀ ମର୍ଯ୍ୟାଦା ସେ ସ୍ଵାଧୀନ ସତ୍ତା କଣ ମୁଁ ଜାଣିନି ଭାଉଜ, ତଥାପି ମୁଁ ତାଙ୍କ ପାଦତଳେ ମୋର ମନ-ପ୍ରାଣ ସବୁ କିଛି ଅଜାଡ଼ି ଦେଇ ନିଜକୁ ଭାଗ୍ୟବତୀ ମଣୁଛି । ସତ କହୁଛି ଭାଉଜ, ମୋ ନିଜର ଇଚ୍ଛା ବୋଲି ଆଉ କିଛି ରଖିନି । ତାଙ୍କରି ଇଚ୍ଛା ହିଁ ମୋର ସବୁକିଛି ।

 

ଛି’ ଛି—ଚୁପ୍‌କର, ଚୁପ୍‌କର—

 

ବିମଳା ଚମକି ଉଠି ଚୁପ୍‌ ହୋଇଗଲା ।

 

ଇନ୍ଦୁ ଘୃଣାରେ ନାକଟେକି କହିଲା—ଆମ ଦେଶର ଝିଅମାନେ ସତରେ ଆଜି ଖେଳକଣ୍ଢେଇ ପାଲଟି ଯାଇଛନ୍ତି । ଆତ୍ମା ନାହିଁ, ପ୍ରାଣ ନାହିଁ, କିଛି ହେଲେ ସେମାନଙ୍କର ନାହିଁ । ଆଚ୍ଛା କହତ ଅପା, ତୁମେ ତ ଏତେ କରୁଛ, କଣ ସେଥିରୁ ତୁମେ କିଛି ପାଉଛ ? ମୋଠାରୁ ବଳି ବେଶୀ ସ୍ଵାମୀ-ସୋହାଗ ତୁମେ ପାଇ ପାରୁଛ ? ବୁଝିଲ ଅପା, ଭଲ ପାଇବାଟାକୁ ମପା ଯାଇ ପାରେନା, ଯଦି ପାରନ୍ତା ନା, ତୁମକୁ ମାପି ଦେଖାଇ ଦିଅନ୍ତି—, ଛାଡ଼ ସେ କଥା; କିନ୍ତୁ କଥା କଣ ଜାଣ ? ତୁମଭଳି ନିଜକୁ ମୁଁ ଏତେ ନୀଚ କରି ପାରିନି ବୋଲି, ତୁମ ଭଳି ଏ କାଙ୍ଗାଳ ବୃତ୍ତିକୁ ମୁଣ୍ଡରେ ମୁଣ୍ଡାଇ ଧରିନି ବୋଲି ମୋର ଆଜି ଏ ସୌଭାଗ୍ୟ । ମୋର ଭାରି ଦୁଃଖ ହୁଏ ବିମଳା, ସେ କାହିଁକି ଏତେ ଶାନ୍ତ, ଏତେ ନିରୀହ ହେଲେ । ଆଉ ଭାଗ୍ୟ ଭଲ ଯେ, ମୁହଁ ଖୋଲି ପଦେହେଲେ କିଛି କେବେ ସେ କହନ୍ତି ନାହିଁ । ନହେଲେ ଦେଖେଇ ଦିଅନ୍ତି ଯେ ସେ ଯାହାକୁ ପସନ୍ଦ କରନ୍ତି ନାହିଁ ସିଏ ମଣିଷ, ସେ ମଧ୍ୟ ତାଙ୍କପରି ନାପସନ୍ଦ କରିଜାଣେ । ନିଜର ଆତ୍ମ ମର୍ଯ୍ୟାଦା ଉପରେ ଆଞ୍ଚ୍‌ ଆଣି ସେ ସ୍ଵାମୀ—ସୋହାଗ ଲାଭ କରିବାକୁ ପସନ୍ଦ କରେନା । ଏ କଣ ବିମଳା ! ତମେ ହସୁଚ ଯେ !

 

ବିମଳା ଜୋରକରି ହସ ଚାପି ରଖି କହିଲା—କଣ ? ମୁଁ ହସୁନି ତ !

 

ନାହିଁ କଣ ? ଏ ପର୍ଯ୍ୟନ୍ତ ବି ତମ ମୁହଁରୁ ହସ ଲିଭି ଯାଇନି !

 

ବିମଳା ଏଥର ସତକୁ ସତ ହସି ଉଠି କହିଲା—ଲିଭିନି, ଏପର୍ଯ୍ୟନ୍ତ ଲାଗିରହିଛି । ତମର କଥା ଶୁଣି, ସତ କହୁଛି ଭାଉଜ, ତମେ ସେତେ ପାଇନଥିଲେ ଏତେ କଥା ତମ ମୁହଁରୁ ବାହାରନ୍ତା ନାହିଁ ।

 

ଭୁଲ, ନିଚ୍ଛକ ଭୁଲ ! ସମସ୍ତେ ଭିକ୍ଷାକରି ବୁଲନ୍ତି ନାହିଁ, ଆତ୍ମ ଗୌରବ ବୁଝିବା ଭଳି ଝିଅ ବି ଜଗତରେ ଅଛନ୍ତି ।

 

ଏଥର ବିମଳାର ମୁହଁରୁ ହସ ଆସ୍ତେ ଆସ୍ତେ ମିଳାଇ ଗଲା । ନମ୍ର ଗମ୍ଭୀର ସ୍ଵରରେ କହିଲା—ତା ଜାଣେ ଭାଉଜ ।

 

ଜାଣିଥିଲେ ଏମିତି କହନ୍ତ ନାହିଁ ଅପା ! ସେ ଯାହା ହେଉ ଏତକ ମନେ ରଖିଥାଅ ଯେ ମାଗିନ ବୋଲି, ନିଜର ଜୋରରେ ଆଦାୟ କରିବା ଭଳି ଝିଅ ବି ଅଛନ୍ତି ।

 

ବିମଳା କହିଲା—ହଉ ଏଇତ ଘର ପାଇଲାଣି, ଓହ୍ଳାଅ, ଟିକିଏ ବସି ଯିବ ।

 

ନା ବିମଳା, ମୁଁ ଘରକୁ ଚାଲିଯିବି । ଏ ଗାଡ଼ି ବାଲା, ଏଇ ସାମନା ଗଳିରେ ଗାଡ଼ି ଚଲା-

 

ଦୁଇ

 

ଆଉ ନାହିଁ—ଘର ଖର୍ଚ୍ଚ ପାଇଁ ଆଉ କେତେଟା ଟଙ୍କା ନ ଦେଲେ ମୁଁ ଚଳେଇବି କେମିତି ?

 

ସ୍ତ୍ରୀରକଥା ଶୁଣି ନରେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ମୁହଁକୁ ଚାହିଁ କହିଲେ—ଏଇ କେତେ ଦିନରେ ଦୁଇ ଶହ ଟଙ୍କା ସରି ଗଲାଣି ?

 

ସରି ଯାଇନି ଆଉ ମୁଁ କଣ ମିଛ କହୁଛି । ନା ବାପଘରକୁ ପଠେଇବି ବୋଲି ଲୁଚେଇ ରଖିଛି ?

 

ନରେନ୍ଦ୍ର ଉତ୍ତର ଦେଲେନି । ତାଙ୍କ ମନରେ ଗୋଟିଏ ଅଚାନକ ଚିନ୍ତା ଖେଳିଗଲା । କା’ ପାଖରେ ଯାଇ ଟଙ୍କା ପାଇଁ ହାତ ପାତିବେ କିଏ ବା ଦେବ ସେ ଭାବି ପାରିଲା ନାହିଁ ।

 

ତାଙ୍କ ମନର ଭାବ ମୁହଁରେ ସ୍ପଷ୍ଟ ରୂପେ ପ୍ରକାଶିତ ହୋଇ ଉଠିଲା । ଇନ୍ଦୁ ତା ଠଉରାଇ ପାରିଲା, କିନ୍ତୁ ପ୍ରକୃତ କଥାଟା ନୁହେଁ । ଗମ୍ଭୀର ସ୍ଵରରେ କହିଲା—ଯେବେ ମୋ ଉପରେ ବିଶ୍ଵାସ ନ ହେଉଛି, ତା’ ହେଲେ ଆଜିଠୁଁ ଗୋଟାଏ ଖାତା ଦିଅ ଯେ ମୁଁ ସବୁ ହିସାବ ଟିକ ନିଖ୍‌ କରି ଲେଖି ରଖିବି । ନାହିଁ ତ, ଗୋଟାଏ କାମ କର—ଟଙ୍କା ହାତରେ ରଖି ଘରର ଖର୍ଚ୍ଚବାର୍ଚ୍ଚ କଥା ନିଜେ ବୁଝ-। ସେମିତି କଲେ ମୋର ଆଉ ଅବିଶ୍ଵାସ କରିବାର କିଛି ନଥିବ, ମୁଁ ମଧ୍ୟ ନିଜ ଅପବାଦରୁ ରକ୍ଷା ପାଇବି । କହି ତୀବ୍ର ଦୃଷ୍ଟିରେ ଚାହିଁ ଦେଖିଲା, ନରେନ୍ଦ୍ରଙ୍କ ମାନସିକ ଚିନ୍ତା ଆହୁରି ଘନୀଭୂତ ହୋଇ ତାଙ୍କ ମୁହଁରେ ଜମାଟ ବାନ୍ଧି ଉଠିଛି ।

 

ନରେନ୍ଦ୍ର ଧୀରେ ଧୀରେ କହିଲେ—ଅବିଶ୍ଵାସ କରୁନି ଇନ୍ଦୁ, କିନ୍ତୁ—

 

କିନ୍ତୁ ଆଉ କଣ ? ବିଶ୍ୱାସ ହେଉନି, ଏୟାତ ? ତେବେ ଯାହା ମନେ ପଡ଼ିବ ସବୁ ହିସାବ ଲେଖି ଆଣି ଦେଉଛି । ଉଃ—କି ସୁଖର ସଂସାର ସତରେ ମୋର ! କହି ତମ ତମ ହୋଇ ଘରୁ ବାହାରି ଚାଲିଗଲା । କିନ୍ତୁ ସାଙ୍ଗେ ସାଙ୍ଗେ ଫେରି ଆସି କହିଲା—କିନ୍ତୁ କଣ ? କାହିଁକି ମୁଁ ହିସାବ ଲେଖିବାକୁ ଯିବି, ମୁଁ କଣ ମିଛ କହୁଛି ? ଅଧିକା ଖର୍ଚ୍ଚ ଭିତରେ ମୋ ମାମୁଁ ଝିଅ ଭଉଣୀର ବାହାଘର ବାବଦରେ ଲୁଗାପଟାରେ ପଚାଶ-ଷାଠିଏ ଟଙ୍କା, ଆଉ ବିମଳା ପାଇଁ ବାର ଟଙ୍କା ଦେଇ ଦି ଖଣ୍ଡ ଜାମା କିଣିବାରେ ଯାହା ଖର୍ଚ୍ଚ କରିଛି । ଏହା ଛଡ଼ା ଯୋଉ ଦିନ ସିନେମା ଯାଇ ଥିଲି ସେଦିନ ଦଶଟା ଟଙ୍କା ଖର୍ଚ୍ଚ ହେଇଛି । ହିସାବ କରି ଦେଖ ଆଉ କେତେ ଟଙ୍କା ରହିଲା ? ସେଥିରେ ଏ ଦଶ ପନ୍ଦର ଦିନ ଘର ଖର୍ଚ୍ଚ ହେଇଛି । ଅଧିକା କଣ ଅବା ଖର୍ଚ୍ଚ ହେଇଗଲା ଯେ ତମ ଆଖି ତଳୁ ଉପରକୁ ଉଠି ଯାଇଛି । ମୋ ଭାଇଙ୍କ ଘରେ ମାସରେ ସାତଶ-ଆଠଶ ଟଙ୍କା ଖର୍ଚ୍ଚ ହୁଏ ଯେ ଦିନେ ହେଲେ କେହି ହିସାବ ଦେଖିନି । ସତ କହୁଛି ଏତେ କଣ୍ଟି କାଣ୍ଟି ମୁଁ ଏ ଘରେ ଚଳପାରିବି ନାହିଁ । ନହେଲେ କହି ଦିଅ, ଭାଇତ ମେଦିନୀପୁର ବଦଳି ହୋଇ ଚାଲି ଗଲେଣି, ମୁଁ ଝିଅକୁ ସାଙ୍ଗରେ ନେଇ ଯାଇ ସେଠି ରହିବି—ମୁଁ ଅବିଶ୍ଵାସରୁ ରକ୍ଷା ପାଇଯିବି, ତୁମେ ବି ଏତେ ଚିନ୍ତାରୁ ମୁକ୍ତି ପାଇଯିବ ।

 

ନରେନ୍ଦ୍ର ବହୁ ସମୟ ଯାଏଁ ମୁହଁତଳକୁ ପୋତି ବସି ରହିବା ପରେ ମୁହଁ ଉଠାଇ ଇନ୍ଦୁକୁ ଚାହିଁ କହିଲେ—ଏ ଓଳିତ ଯୋଗାଡ଼ କରିହେବନି, ଉପରଓଳି କୋଉଠୁ ହେଲେ ବ୍ୟବସ୍ଥା କରିବା ।

 

ତା ମାନେ । ଯେବେ ଯୋଗାଡ଼ କରି ହେବନି, ଉପାସ ରହିବାକୁ ପଡ଼ିବ ନା କଣ । ଦେଖ ମୁଁ ଏମିତି ଅଭାବ ଅସୁବିଧା ଭିତରେ ଆଦୌ ଚଳପାରିବି ନାହିଁ, କାଲି କମଳାକୁ ଧରି ମେଦିନୀପୁର ଚାଲିଯାଉଛି । କିନ୍ତୁ ତୁମକୁ କିଛି ଗୋଟାଏ ଚାକିରୀ ବାକିରୀ କରିବାକୁ ପଡ଼ିବ । ଏ ଦଲାଲ ବ୍ୟବସାୟ ପୋଷେଇବ ନାହିଁ । ତମକୁ ଯେବେ ଚାକିରୀ ନ ମିଳୁଛି ଭାଇଙ୍କୁ କହ ସେ କୋଉଠିହେଲେ ଚାକିରୀ ବୁଝିଦେବେ । ସେ ବରଂ ଭଲ, କିନ୍ତୁ ଯୋଉ କାମକୁ ତମେ ପାରିବନି ସେମିତ କାମରେ ମିଛରେ କାହିଁକି ହାତ ଦେଇ ବସିଛ କହିଲ । ନିଜେତ ହଇରାଣ ହେଉଛ ତା ସାଥି ସାଥି ଆମକୁ ବି ହଇରାଣ କରୁଛ ।

 

ନରେନ୍ଦ୍ର ଜବାବ ଦେଲେନାହିଁ । ଇନ୍ଦୁ ଆଉ କଣ କହିବାକୁ ଯାଉଥିଲା ଏଇ ସମୟରେ ବେହେରା ଆସି କହିଲା-ବାବୁ, ଶମ୍ଭୁବାବୁ ଆସିଛନ୍ତି ।

 

ନରେନ୍ଦ୍ର ଉଠି ବୈଠକ ଘରକୁ ଚାଲିଗଲେ । ଇନ୍ଦୁ ତାଙ୍କ ପଛେ ପଛେ ଯାଇ ଦ୍ଵାରବନ୍ଧ ପାଖରେ ଆଢ଼ୁଆଳରେ ଠିଆହେଲା ।

 

ଶମ୍ଭୁବାବୁ ମହାଜନ । ନରେନ୍ଦ୍ରଙ୍କ ବାପା ମୃତ୍ୟୁ ପୂର୍ବରୁ ବହୁ ଋଣ କରି ଯାଇଥିଲେ । ଏଣୁ ପୁଅକୁ ଚେତାଇ ଦେବାପାଇଁ ଶମ୍ଭୁବାବୁ ଅନେକ ସମୟରେ ନରେନ୍ଦ୍ରଙ୍କ ଘରକୁ ଆସିଥାଆନ୍ତି । ଆଜି ମଧ୍ୟ ସେ ସେଇ କାରଣରୁ କେବଳ ଆସିଥିଲେ । ସେ ମୃଦୁଭାଷୀ ବୈଠକ ଖାନାରେ ନରେନ୍ଦ୍ରଙ୍କ ପାଖକୁ ଲାଗି ଗୋଟାଏ ଚୌକିରେ ବସି ଧୀରେ ଧୀରେ ଏମିତି କେତେ ପଦ କଥା କହିଲେ, ଯାହା ଅତି ଅଲାଜୁକ ନ ହେଲେ ଦ୍ଵିତୀୟଥର ଶୁଣିବାକୁ କେହି ଇଚ୍ଛା କରିବ ନାହିଁ । ବରଂ ପରପାଖରେ ମୁଣ୍ଡ ବିକି ଦେଣା ସୁଝିଦେବାକୁ ଲବେ ମାତ୍ର ହେଳା କରିବ ନାହିଁ ।

 

ଶମ୍ଭୁବାବୁ ଚାଲିଗଲାପରେ ଇନ୍ଦୁ ବୈଠକଖାନା ଭିତରକୁ ପଶିଆସି ନରେନ୍ଦ୍ରଙ୍କ ପାଖରେ ଠିଆହେଇ ପଚାରିଲା—ସେ ଭଦ୍ରଲୋକ କିଏ ଆସିଥିଲେ କି ?

 

ଶମ୍ଭୁ ବାବୁ ।

 

କୁଆଡ଼େ ଆସିଥିଲେ ?

 

ତାଙ୍କର କିଛି ଟଙ୍କା ଆଉ ବାକି ରହି ଯାଇଛି, ସେଇଥି ପାଇଁ ଆସିଥିଲେ ।

 

ତା’ ମୁଁ କଥାବାର୍ତ୍ତାରୁ ଅନୁମାନ କରି ପାରିଛି କିନ୍ତୁ ଟଙ୍କା କରଜ କରିଥିଲ କାହିଁକି ଶୁଣେ-?

 

ନରେନ୍ଦ୍ର କଥାଟାର ଧାରା ବଦଳାଇ ଦେବା ଉଦ୍ଦେଶ୍ୟରେ ଉତ୍ତର ଦେଇ କହିଲେ—ବାପାଙ୍କର ହଠାତ୍‌ ମୃତ୍ୟୁ ହୋଇଯିବା ପରେ—

 

ଇନ୍ଦୁ କଥାରେ ବାଧା ଦେଇ ଅତି ରୁକ୍ଷ ସ୍ଵରରେ କହିଲା—ତୁମ ବାପା କଣ ଦୁନିଆ ସାରା ସମସ୍ତଙ୍କଠୁଁ ଖାଲି କରଜ କରି ଯାଇଛନ୍ତି ? ସେ ଟଙ୍କା ଶୁଝିବ କିଏ ? ତୁମେ ? କେମିତି ଶୁଝିବ ଶୁଣେ ?

 

ଏତେଗୁଡ଼ାଏ ପ୍ରଶ୍ନର ଉତ୍ତର ଏକାବେଳକେ ଦେବା ସହଜ ନୁହେଁ । ଇନ୍ଦୁ ମଧ୍ୟ ସେଥିପାଇଁ ଅପେକ୍ଷା କଲାନି । ପୁଣି କହିଲା—ତୁମ ବାପାସିନା ହଠାତ୍‌ ମରିଗଲେ, କିନ୍ତୁ ତୁମେତ ହଠାତ୍‌ ବିବାହ କରିନାହଁ ! ବିବାହ କରିବା ପୂର୍ବରୁ ତୁମର ତ ଏସବୁ ବିଷୟ ପରିଷ୍କାର ଭାବରେ ଜଣାଇ ଦେବା ଉଚିତ ଥିଲା । ଏସବୁ ଲୁଚାଇ ରଖିଲ କାହିଁକି ? ଅନ୍ତତଃପକ୍ଷେ ମୋ ପାଖରେ ଲୁଚାଇ ରଖିବା ଉଚିତ ହୋଇନି । ଲୋକଙ୍କ ମୁହଁରୁ ଶୁଣିଛି ତୁମେ କୁଆଡ଼େ ଭାରି ଧର୍ମଭୀରୁ । ଏମିତ କରିବା ପାଇଁ ବୋଧହୁଏ ତମ ଧର୍ମଶାସ୍ତ୍ରରେ ଲେଖା ହୋଇଛି ? କହି ସେ ଯୁଦ୍ଧଂଦେହି ଦୃଷ୍ଟିରେ ସ୍ଵାମୀର ମୁହଁକୁ ଅନାଇ ରହିଲା ।

 

କିନ୍ତୁ ହାୟ, ଏତେ ଗୁଡ଼ାଏ ସୁତୀକ୍ଷ୍‌ଣ ବାଣ ଅତିନିଷ୍ଠୁର ଭାବରେ ଯା ପ୍ରତି ପ୍ରୟୋଗ କରାଗଲା ଭଗବାନ ତାକୁ କଣ ଏକା ବେଳକେ ନିରସ୍ତ୍ର, ନିରୂପାୟ କରି ଏ ସଂସାରକୁ ପଠାଇଥିଲେ ! କାହାରିକୁ କୌଣସି କାରଣରେ ହେଲେ ଆଘାତ କରିବା ପାଇଁ ତା’ ମନରେ କଣ କ୍ରୋଧ ଜାତ ହେଉ ନଥିଲା । ସବୁ ସହ୍ୟ କରିନେବାଟାକୁ କଣ ସେ ବ୍ରତ କରି ନେଇ ଥିଲା !

 

ପ୍ରକୃତରେ ନରେନ୍ଦ୍ରଙ୍କ ପ୍ରକୃତିହିଁ ସେମିତି । ସେ ଆଘାତ ଜନିତ ବେଦନା ଯେତେ ଅସହ୍ୟ ହେଲେ ବି ନୀରବରେ ସହି ନେଉଥିଲେ ଓ ଅଳ୍ପକ୍ଷଣ ପରେ ସବୁ ଭୁଲି ଯାଉଥିଲେ । କିନ୍ତୁ ଆଜି ତାଙ୍କର ସେଇ ଧୈର୍ଯ୍ୟ ମୂଳ ଯେମିତି ସାମାନ୍ୟ ଦୋହଲିଗଲା । ଶମ୍ଭୁବାବୁଙ୍କ ବାକ୍ୟ ବାଣର ତୀବ୍ର ଜ୍ୱାଳା ସାମାନ୍ୟ ଉପଶମ ନହେଉଣୁ ଇନ୍ଦୁର କଠୋର ବାକ୍ୟାବଳି ତାଙ୍କ ହୃଦୟର ସେଇ ଜ୍ଵାଳାକୁ ଅତି ଉଗ୍ରକରି ତୋଳିଲା । ସେ ଇନ୍ଦୁର ନିଷ୍ଠୁର ଆଘାତରେ ମର୍ମାହତ ହୋଇ ଉଠିଲେ । ଇନ୍ଦୁ କଥାରେ ଉପଯୁକ୍ତ ପ୍ରତ୍ୟୁତ୍ତର ଦେବାପାଇଁ ମନେ ମନେ ଠିକ୍‌ କରି ପର ମୁହୁର୍ତ୍ତରେ ପୁଣି ଭାଙ୍ଗି ପଡ଼ିଲେ । କଠୋର ବାକ୍ୟ ଉଚ୍ଚାରଣ ପାଇଁ ତାଙ୍କର ମୁହଁ ଖୋଲିଲା ନାହିଁ । ସେ ଧୀରେ ଧୀରେ ନରମ ସ୍ଵରରେ କହିଲେ—ବାପାଙ୍କ ବିଷୟରେ ଏଭଳି କଟୂକଥା କହିବା କଣ ତମର ଉଚିତ ?

 

ଇନ୍ଦୁ ସେମିତି ଚଢ଼ାସ୍ଵରରେ ଜବାବ ଦେଇ କହିଲା—ଉଚିତ ଅନୁଚିତ ବିଚାର କରିବା ପାଇଁ ତ ମୁଁ ତୁମକୁ କହୁନି ? ପଚାରୁଛି, ତୁମେ ଏସବୁ କଥା ଖୋଲିକରି ବିବାହ ପୂର୍ବରୁ ମୋ ବାପାଙ୍କୁ କହିଲ ନାହିଁ କାହିଁକି ?

 

ମୁଁ ତ କିଛି ଲୁଚାଇ ରଖିନଥିଲି ଇନ୍ଦୁ । ତା’ ଛଡ଼ା ତୁମ ବାପା ଥିଲେ ମୋ ବାପାଙ୍କର ବାଲ୍ୟ ବନ୍ଧୁ । ସେ ସବୁ ବିଷୟ ଜାଣନ୍ତି ।

 

ତା’ ହେଲେ ତୁମେ କହୁଛ, ମୋ ବାପା ସବୁ ଜାଣି ଶୁଣି ମୋତେ ଏମିତି ପାଣିରେ ଭସାଇ ଦେଇଛନ୍ତି !

 

ଅସହ୍ୟ ବ୍ୟଥାରେ ଅଧୀର ହୋଇ ନରେନ୍ଦ୍ର କିଛିକ୍ଷଣ ଯାଏ ଇନ୍ଦୁ ମୁହଁକୁ ବିସ୍ମୟରେ ଚାହିଁ ରହି ଦୃଷ୍ଟି ଫେରାଇ ମୁହଁ ପୋତିଲେ । ଇନ୍ଦୁ ଯେ ପ୍ରକୃତରେ ରାଗିଯାଇ ଏମିତି କହୁଥିଲା କି ଛଳନା କରୁଥିଲା ସେ ହଠାତ୍‌ ଠଉରାଇ ପାରିଲେ ନାହିଁ ।

 

ଏଠି ପୂର୍ବକଥା କିଛି କହିବା ଉଚିତ । ବହୁକାଳୁ ଏ ଉଭୟ ପରିବାର ପଡ଼ୋଶୀ ଭାବରେ ବାସ କରି ଆସୁଛନ୍ତି ଏବଂ ଉଭୟ ପରିବାରର ଦୁଇମୁଖ୍ୟ ପିଲାଦିନରୁ ଅତି ଘନିଷ୍ଠ ଭାବରେ ବନ୍ଧୁ ରୂପେ ଚଳିଆସିଥିଲେ । ପିଲାଦିନରୁ ହିଁ ଇନ୍ଦୁ ଓ ନରେନ୍ଦ୍ରଙ୍କ ବିବାହ ବିଷୟ ଏକ ପ୍ରକାର ସ୍ଥିର ହୋଇ ଯାଇଥିଲା । କିନ୍ତୁ ଇନ୍ଦୁର ବାପା ହଠାତ୍‌ ମତ ପରିବର୍ତ୍ତନ କରି ଯଥା ସମୟରେ ଝିଅର ବିବାହ ନ କରି ପାଠ ପଢ଼ାଇବା ବାହାନାରେ ବହୁକାଳ ପର୍ଯ୍ୟନ୍ତ ଅବିବାହିତ ରଖିଲେ । ଏପରିକି ଶେଷରେ ବିବାହ ସମ୍ବନ୍ଧ ବି ଭାଙ୍ଗିଗଲା । ଆଉ କେତେବର୍ଷ ପରେ ଇନ୍ଦୁକୁ ଯେତେବେଳେ ଅଠର ଉଣେଇଶ ବର୍ଷ ବୟସ, ସେତେବେଳେ ସେଇ ପୁରୁଣା ସମ୍ବନ୍ଧକୁ ପୁଣିଥରେ ନୂଆକରିବା ପାଇଁ ମନ କରି ଇନ୍ଦୁର ବାପା କଲିକତାକୁ ଫେରି ଆସି ଶୁଣିଲେ ଯେ ନରେନ୍ଦ୍ରଙ୍କ ବାପାଙ୍କର ଏ ଭିତରେ କାଳ ହୋଇ ସାରିଛି । ସେ ସମୟରେ ନରେନ୍ଦ୍ରଙ୍କ ସାଂସାରିକ ଅବସ୍ଥା ସମ୍ପର୍କରେ ବି ଖୁବ୍‌ ଆଲୋଚନା ହୋଇଥିଲା । ନିଜର ଏକମାତ୍ର ଅଲିଅଳି ଝିଅକୁ ନରେନ୍ଦ୍ର ହାତରେ ଟେକିଦେବା ପାଇଁ ପ୍ରଥମେ ପ୍ରଥମେ ଅବଶ୍ୟ ବାପ ମା ଅମଙ୍ଗ ହେଲେ, କିନ୍ତୁ ଇନ୍ଦୁର ବୟସ ବଳେଇ ଯାଇଥିବାରୁ ଅନ୍ୟ କୌଣସି ଉପାୟ ନ ଦେଖି ଶେଷରେ ବାଧ୍ୟହୋଇ ରାଜି ହେଲେ ଏବଂ ନରେନ୍ଦ୍ରଙ୍କ ହାତରେ ଇନ୍ଦୁକୁ ସମର୍ପଣ କରି କନ୍ୟାଦାୟରୁ ମୁକ୍ତି ହେଲେ ।

 

ଇନ୍ଦୁ ଏତେ ଶୀଘ୍ର ସେସବୁ ଆଜି ଭୁଲିଯାଇଛି କିମ୍ବା ମିଥ୍ୟା, ମୋହରେ ପଡ଼ି, ନିଦାରୁଣ ଆତ୍ମ ଗ୍ଳାନିରେ ଅନ୍ଧ ହୋଇ ଏଭଳି ଅହରହ ଜଳୁଛି । କିଛି ସ୍ଥିର କରିନପାରି ନରେନ୍ଦ୍ର ନିର୍ବାକ ନିସ୍ତବ୍‌ଧ ହୋଇ ତଳକୁ ମୁହଁ ପୋତି ବସି ରହିଲା ।

 

ସେଇ ନିର୍ବାକ ସ୍ଵାମୀର ଚିନ୍ତାଗ୍ରସ୍ତ ମଳିନ ମୁହଁକୁ କିଛିକ୍ଷଣ ଯାଏଁ ଚାହିଁ ଇନ୍ଦୁ ଆଉ କୌଣସି କଥା ନ କହି ଘରୁ ବାହାରି ତମତମ ହୋଇ ଚାଲିଗଲା । ଏଭଳି ନିଶବ୍ଦରେ ଚାଲିଯିବାଟା ତା’ ର ଆଜି ନୁହେଁ—ଏମିତି ଅନେକ ଦିନ ଅନେକଥର ସେ ଚାଲି ଯାଇଛି, କିନ୍ତୁ ନରେନ୍ଦ୍ରର ଯେପରି ମନେହେଲା ଇନ୍ଦୁ ତାର ଛାତି ଉପରେ ଗୋଟାଏ ମସ୍ତବଡ଼ ବେଦନାର ବୋଝ ଜୋରକରି ଲଦି ଦେଇ ଚାଲିଗଲା । ନରେନ୍ଦ୍ର ସାମାନ୍ୟ ମୁହଁ ଟେକି ବେକଭାଙ୍ଗି ସ୍ତ୍ରୀର ଚଲାବାଟକୁ ଅନାଇଲା । ଇନ୍ଦୁ ଆଖି ଆଗରୁ ଚାଲିଯିବା ପରେ ସେ ଗୋଟାଏ ଗଭୀର ଦୀର୍ଘ ନିଶ୍ଵାସ ଛାଡ଼ି ମୁହଁ ବୁଲାଇ ସେଇଠି ଟେବୁଲ ଉପରେ ଭରାଦେଇ ଶୋଇ କେତେ କଣ ଭାବି ଚାଲିଲା । ତା’ ର ଯେମିତି ପ୍ରଥମଥର ପାଇଁ ମନେହେଲା, ଏ ଜଗତଟା ହିଁ ମିଥ୍ୟା—ସବୁ କେବଳ ଫାଙ୍କି । ଏ ସଂସାରରେ ସ୍ତ୍ରୀ, ପୁତ୍ର-କନ୍ୟା, ସ୍ନେହ-ମମତା, ପ୍ରେମ, କିଛିହେଲେ ସତ୍ୟନୁହେଁ ସବୁ ଅଳୀକ । ମନୁଷ୍ୟ ମୋହଗ୍ରସ୍ତ ହୋଇ ଭ୍ରମରେ କେବଳ ମରୀଚିକା ପଛରେ ଗୋଡ଼ାଇଛି ।

 

ତିନି

 

ଭାଇ !

 

କିଏ, ବିମଳା ? ଆ ଭଉଣୀ, ଆ ତତେ ଅନେକ ଦିନହେଲା ଦେଖିନଥିଲି । କହି ନରେନ୍ଦ୍ର ଉଠି ସଳଖିହୋଇ ବସିଲା । ତା’ ମୁହଁରୁ ସେ ପର୍ଯ୍ୟନ୍ତ ବିଷାଦର ଦାଗ ଲିଭି ନଥିଲା । ବିମଳା ତା ଠଉରାଇ ପାରି ଆଶ୍ଚର୍ଯ୍ୟ ହୋଇ ପଚାରିଲା—କଣ, ତୁମ ଦେହ ଭଲନାହିଁ ଭାଇ ?

 

ନାଇଁ, ଦେହ ସେମିତି କିଛି ଖରାପ ନାହିଁ ଯେ, ତେବେ ଏଇ କେତେଦିନ ହେଲା ଛାତିର ସେ ପୁରୁଣା ବ୍ୟଥାଟା ବାହାରିଛି ।

 

ବିମଳା ଆଖି ଛଳ ଛଳ କରି କହିଲା—ସେ ଯାହା ହେଉ ତୁମ ଦେହ ଖରାପ, ମତେ ଟିକିଏ ଖବର ଦେଲନି ?

 

ନରେନ୍ଦ୍ର ସାମାନ୍ୟ ହସି କହିଲା—ଚଲାବୁଲା କଲେ ଟିକିଏ କଷ୍ଟ ହେଉଛି, ସେଥିପାଇଁ ତମ ସିଆଡ଼େ ଯାଇ ପାରିନଥିଲି ।

 

ଡାକ୍ତର ଦେଖେଇଲଣି ? କଣ କହିଲେ ?

 

ଡାକ୍ତର ! ଡାକ୍ତର କଣ କରିବ ? ସେ ରୋଗ ମୋର ଆପେ ଆପେ ଭଲ ହୋଇଯିବ ।

 

ଏଁ ! ଏପର୍ଯ୍ୟନ୍ତ ଡାକ୍ତର ଡାକିନ ? କେତେ ଦିନ ହେଲାଣି ?

 

ନରେନ୍ଦ୍ର ସାମାନ୍ୟ ହସି କହିଲା—କେତେ ଦିନ ? ଏଇ ସେ ଦିନ ତ ଆରମ୍ଭ ହେଲା—ଆଜିକୁ ଛ’ ସାତ ଦିନ ହେବ ବୋଧହୁଏ ।

 

ଛ’ ସାତ ଦିନ ! ତେବେ, ଭାଉଜ ଦେଖି ଯାଇଛନ୍ତି !

 

ନା ନା, ସେ ଗଲାବେଳକୁ ବୋଧହୁଏ ଆରମ୍ଭ ହେଇନଥିଲା, ସେ ଏକଥା ଆଦୌ ଜାଣିନି । ସେ ଗଲାଦିନ ମୁଁ ତ ଦାଣ୍ଡ ପିଣ୍ଡାରେ ଯାଇ ବସିଥିଲି । ହଜାରେ ରାଗକଲେ ବି, ଦେହବ୍ୟସ୍ତ କଥା ଜାଣିଥିଲେ ସେ କଣ କେବେ ଛାଡ଼ି ଯାଇ ପାରିଥାଆନ୍ତା !

 

ତା’ ହେଲେ ଭାଉଜ ରାଗରେ ପଳେଇ ଯାଇଛନ୍ତି ?

 

ନା ନା, ରାଗରେ କାହିଁକି ପଳେଇ ଯିବ, ଏଇ ଦୁଃଖକଷ୍ଟରେ—କେତେ ଅଭାବ ଅସୁବିଧା ତା’ ତ ତୁ ଜାଣୁ । ଏତେ ଅଭାବ ଅସୁବିଧାରେ ଚଳିବା ତାର ଅଭ୍ୟାସ ନାହିଁ, ଦେହଟା ବି ତା’ ର ଏଇ କେତେ ଦିନ ହେଲା ସେମିତି ଭଲନଥିଲା, ସେଇଥିପାଇଁ । ନହେଲେ ଦେହ ଦୁଃଖ କଥା ଜାଣି କିଏ କଣ ରାଗ କରିପାରେ !

 

ବିମଳା କୋହ ଚାପି, ସାମାନ୍ୟ କଠୋର ସ୍ଵରରେ କହିଲା—ମୁଁ ଜାଣେ ଭାଇ । ଆମେ ମାଇପି ଜାତି ସବୁ କିଛି ପାରୁ, ଆମ ପାଖରେ ଅସାଧ୍ୟ ହୋଇ କିଛି ନାହିଁ । ତା’ ନ ହେଲେ, ତୁମେ ବିଛଣା ନ ଧରିଲା ପର୍ଯ୍ୟନ୍ତ ଆମେ କଣ କିଛି ଜାଣି ପାରନ୍ତୁ ନା ? ଗାଡ଼ି ଆସିଲା କିରେ ଭୋଳା ?

 

ନା, ଏ ପର୍ଯ୍ୟନ୍ତ ଆସିନି ମା, ଡକେଇ ପଠେଇଛି ।

 

ତୁ କଣ ଏଇଲେ ଚାଲିଯିବୁ ବିମଳା ? ସଞ୍ଜ ତ ହେଇନି ଆଉ ଟିକିଏ ବସନା ।

 

ନା ଭାଇ, ସଞ୍ଜହେଲେ ଦେହରେ ଥଣ୍ଡା ଲାଗିପାରେ, ଏତିକି ବେଳୁ ଚାଲିଯିବା ଭଲ । ଗାଡ଼ି ଆସିଲେ ମତେ ସାଙ୍ଗେ ସାଙ୍ଗେ ଖବର ଦେବୁ, ଭୋଳା ।

 

ଘର ତ ବେଶୀ ଦୂରନୁହେଁ, ଗାଡ଼ି କଣ ହେବ ବିମଳା ?

 

ଉଠି ବସି ପାରୁନ, ଚାଲିକରି ଏତେବାଟ ଯିବ କେମିତି ? ତୁମକୁ ବା ଚାଲିଚାଲି ଯିବାପାଇଁ ମୁଁ ଦେବି କେମିତି ?

 

ମତେ କଣ ତୋ ଘରକୁ ନେଇଯିବୁ ? ତତେ ଏତେ କଥା କରିବାକୁ କହିଲା କିଏ ପାଗଳି ! ମୋର କଣ ବା ହୋଇ ଯାଇଛି ଯେ ତୁ ଏମିତି ବ୍ୟସ୍ତ ହୋଇ ଉଠୁଛୁ ? ଏତ ନୂଆ ନୁହେଁ, ମୋର ଏମିତି ବରାବର ହୁଏ, ପୁଣି ଆପେ ଆପେ ଭଲ ହେଇ ଯାଏ ।

 

ସେ କଥା କହନି ଭାଇ । ତୁମକୁ ଛାଡ଼ି ଦେଲେ ମୋର ‘ଭାଇ’ ବୋଲି ଆଉ କେହି ନାହିଁ-। ଭଲ ମନ୍ଦ ହେଇଗଲେ ମତେ ଆଉ ‘ଭାଇ’ କିଏ ଦେବ, କହିଲ ? ମୁଁ ତମକୁ ଏଠି ଏମିତି ଅବସ୍ଥାରେ କୌଣସି ପ୍ରକାରେ ଛାଡ଼ି ଦେଇ ଚାଲି ଯାଇ ପାରିବିନି ଭାଇ ।

 

ମା, ଗାଡ଼ି ଆସିଲାଣି ।

ଗାଡ଼ିବାଲାକୁ ଡାକି ଦେ, ସେ ଏ ଗଦିଟାନେଇ ଗାଡ଼ି ଭିତରେ ପକାଉ ।

ତୁ କଣ ପ୍ରକୃତରେ ମତେ ନ ନେଇ ଛାଡ଼ିବୁ ନାହିଁ ?

ତୁମର କଣ ବିଶ୍ଵାସ ହେଉନି ଭାଇ ? ତୁମେ କଣ ଭାବୁଛ, ତୁମ ଭଉଣୀ ତା ଭାଇର ଏତିକି ସେବା ଶୁଶ୍ରୂଷା କରି ପାରିବନି ?

ନା, ତା ଭାବୁନି । କିନ୍ତୁ ତୁ ମତେ ତୋ ଘରଠାକୁ ନେଇଯିବୁ ବୋଲି ଜାଣିଥିଲେ, ତୋ ପାଖକୁ ଖବର ଦେଇନଥାନ୍ତି ।

ବିମଳା ନରେନ୍ଦ୍ରର ମୁହଁକୁ କ୍ଷଣକ ଯାଏ ଚାହିଁରହି କହିଲା—ଜାଣିବା ନଜାଣିବା କଥା ତୁମର ତୁମେ ବୁଝୁଥାଅ କିନ୍ତୁ ମୁଁ ଆଉ କୌଣସି କଥା ଶୁଣିବି ନାହିଁ । ମୋ କାମ ମତେ କରିବାକୁ ହିଁ ପଡ଼ିବ । ତୁମେ ଆଗେ ଏକଥା କେମିତି କହୁଛ କହିଲ ? ତୁମକୁ ଏମିତି ଅବସ୍ଥାରେ ଛାଡ଼ି ଦେଇ ଚାଲିଯାଇ ପାରିବି, ଏହା ତୁମର ବିଶ୍ଵାସ ହେଉଛି ?

ନରେନ୍ଦ୍ର ଗୋଟାଏ ଦୀର୍ଘ ନିଶ୍ଵାସ ଛାଡ଼ି କହିଲା—ହଉ ତେବେ ଚାଲ ।

ଆଚ୍ଛା, ଭାଇ ?

କଣ ?

ଆଜି ଭାଉଜଙ୍କ ପାଖକୁ ଗୋଟାଏ ଟେଲିଗ୍ରାମ ପଠାଇଦେବା, ସେ କାଲି ସକାଳେ ଚାଲି ଆସନ୍ତୁ ।

ନରେନ୍ଦ୍ର ବ୍ୟସ୍ତହୋଇ ଉଠି କହିଲା—ନା ନା; ସେ ସବୁର କିଛି ଦରକାର ନାହିଁ ।

କାହିଁକି ନାହିଁ ? ମେଦିନୀପୁର ତ ବେଶୀ ଦୂରନୁହେଁ, ଏଇଲାଗେ ସେ ଚାଲି ଆସି ଥାଆନ୍ତୁ, ତୁମ ଦେହଭଲ ହେଇଗଲା ପରେ ଆଉଥରେ ଚାଲିଯିବେ ।

ନା ନା ବିମଳା, ତୁ ସେଥିପାଇଁ କିଛି ବ୍ୟସ୍ତ ହୁଅନା । ତାଙ୍କ ଦେହଟାବି ସେଠାରେ ଭଲ ନାହିଁ, ସେ ସେଇଠି ଥାଆନ୍ତୁ । ଟିକିଏ ରହି ପୁଣି କହିଲା—ତୋ ସେବାରେ ଯେବେ ମୋ ଦେହ ଭଲ ନହେଲା, ତା’ହେଲେ ଏଇଟା ନିଶ୍ଚୟ ଯେ ଆଉ କେବେହେଲେ ଭଲ ହେବନି । ଆଚ୍ଛା ବିମଳା, ତୁ ଯେ ମତେ ତୋ ଘରକୁ ନେଇ ଯିବାକୁ ବସିଛୁ, ଏକଥା ଗଗନବାବୁ ଜାଣନ୍ତି ତ ?

ସେଥିରୁ ତୁମକୁ କଣ ମିଳିବ ଭାଇ । ସେ ତ ଏପର୍ଯ୍ୟନ୍ତ ଅଫିସରୁ ଫେରି ନଥିବେ ।

ତେବେ......

ତେବେ ଆଉ କଣ ? ତୁମର ଭୟ କରିବାର କିଛି କାରଣ ନାହିଁ ଭାଇ । ଭଗବାନ ତାଙ୍କୁ ଯେ ଦି’ଟା ଆଖି ଦେଇଛନ୍ତି, ଆମେ ଗଲେ ସେ ବଳେ ଦେଖି ପାରିବେ ।

ନା ବିମଳା, ଭଉଣୀଟା ମୋର, ମତେଯିବା ପାଇଁ ଆଉ ବଳାନା । ମୁଁ କୌଣସି ମତେ ଯାଇ ପାରିବି ନାହିଁ ।

 

ବିମଳା ଆଶ୍ଚର୍ଯ୍ୟହେଇ ପଚାରିଲା—କାହିଁକି ?

 

ଗଗନବାବୁଙ୍କ ଅମତରେ—

 

ବିମଳା ତା କଥାରେ ବାଧା ଦେଇ କହିଲା—ଥାଉ ଥାଉ ମତେ ଆଉ ସେ ମତ ଅମତ କଥା ବେଶୀ କହନା । ଗୋଟାଏ ଘର ଭିତରେ ରହି କଣ ଜଣ ଜଣଙ୍କର ଗୋଟାଏ ଗୋଟାଏ ମତ ହୋଇପାରେ ! ତୁମ ଗୋଡ଼ତଳେ ପଡ଼ୁଛି ଭାଇ, ତୁମେ ସେ ସବୁ କଥା କିଛି ଭାବନା ।

 

ସତ କହୁଛୁ ବିମଳା, ତୁମ ଦି ଜଣକ ଭିତରେ ମତ ପାର୍ଥକ୍ୟ ନାହିଁ ?

 

ବିମଳା ଲୁଗାପଟା ବନ୍ଧାବନ୍ଧି କରୁଥିଲା, ଲାଜରେ ତଳକୁ ମୁହଁ ପୋତି କହିଲା—ସତ କହୁଛି ଭାଇ, ଆମ ଭିତରେ ମତ ପାର୍ଥକ୍ୟ ନାହିଁ ।

 

ସାତ ଆଠ ଦିନ ପରେ—

 

ବିମଳା ଦିନେ ସକାଳୁ ଆସି ପଚାରିଲା—ଭାଇ ଆଜି ଦେହ କେମିତି ଲାଗୁଛି ?

 

ଟିକିଏ ଭଲଅଛି ବିମଳା । ଓଃ, ଏ ସାତ ଆଠ ଦିନ କାଳ ତମକୁ ସବୁ ମୁଁ କି କଷ୍ଟ ନଦେଲି ! ଏ ଜୀବନରେ ତମ ଦିହିଙ୍କ ପାଖରେ ଋଣୀ ରହିଲି ଭଉଣୀ । ଭଲ ତ ହେଇଗଲିଣି, ଏଥର ବିଦାୟ ଦେ ମତେ, ତତେ ଆଉ ବେଶୀ ଘାଣ୍ଟିବାକୁ ମୋର ମନ ବଳୁନି ।

 

କାହାକୁ ଘାଣ୍ଟିଲ ଭାଇ ! ସେ ବାଜେ କଥା ସବୁଛାଡ଼, କହତ ଭାଉଜ କଣ ଏ ଷୋଳ ସତର ଦିନ ଭିତରେ ତୁମ ପାଖକୁ ଚିଠି ପତ୍ର କିଛି ଦେଇ ନାହାନ୍ତି ?

 

ନା କିଛି ଦେଇ ନଥିଲେ । ଚିଠି ପତ୍ର ଦେବାର ତ ସେମିତି କିଛି ଦରକାର ନଥିଲା, ତେବେ କାଲି ଖଣ୍ଡେ ଚିଠି ଆସିଥିଲା । ମୁଁ ତା’ ର ଜବାବ ଏପର୍ଯ୍ୟନ୍ତ ଦେଇପାରିନି ।

 

ବିମଳା ମୁହଁ ଗମ୍ଭୀର କରି ନୀରବରେ ଚାହିଁ ରହିଲା ।

 

ନରେନ୍ଦ୍ର ସାମାନ୍ୟ ଲଜ୍ଜିତ ହେଇ କହିଲା—ସେ ମଧ୍ୟ ସେଠାରେ ଯାଇ ଭଲରେ ନାହାନ୍ତି । ସର୍ଦ୍ଦି, କାଶ, ଜ୍ଵରରେ ପଡ଼ିଛନ୍ତି । ଏମିତି ଦେହ ଅସୁଖରେ ଥାଇ ମଧ୍ୟ ସେ ଚିଠି ଲେଖିଛନ୍ତି ।

 

ସେଇଥି ପାଇଁ ତା’ ହେଲେ ତାଙ୍କ ପାଖକୁ ଆଜି ଟଙ୍କା ପଠେଇ ଦେଲ ?

 

ନରେନ୍ଦ୍ର ଲାଜରେ ଜଡ଼ସଡ଼ ହେଇଗଲା । କହିଲା—ତାଙ୍କ ହାତରେ କିଛି ପଇସା ପତ୍ର ନଥିଲା, ତା’ ଛଡ଼ା ଘର ପାଖରେ ଗୋଟାଏ କଣ ମେଳା ହେଉଛି ବୋଲି ଲେଖିଥିଲେ । ମେଳା ଶେଷ ହେଇଗଲା ପରେ ସେ ଫେରି ଆସିବେ ବୋଲି ଲେଖିଛନ୍ତି । ତୋ ପାଖକୁ ବୋଧହୁଏ ଚିଠି ପତ୍ର କିଛି ଦେଇ ନାହାନ୍ତି ?

 

ହଁ, ମୁଁ ବି ଖଣ୍ଡେ ଚିଠି ତାଙ୍କଠୁ ପାଇଛି ।

 

ପାଇଛୁ ! ତା’ ର ଜବାବ ଦେଲୁଣି ।

 

ନାଇଁ ଦେଇନି । ଭୟ କରନି ଭାଇ, ତମ ଦେହ ଦୁଃଖ କଥା କିଛି ଲେଖିବି ନାହିଁ । ଏଇନେ ସମୟ ବି ମୋର ନାହିଁ । କହି ସେ ଘରୁ ବାହାରି ଚାଲିଗଲା ।

 

ସନ୍ଧ୍ୟାବେଳେ ଖୋଲା ଝରକା ପାଖରେ ବସି ନରେନ୍ଦ୍ର ଆକାଶ ଆଡ଼କୁ ଚାହିଁ ନିସ୍ତବ୍‌ଧରେ ବସିଥିଲା । ଏଇ ସମୟରେ ବିମଳା ଘରଭିତରକୁ ପଶିଆସି ପଚାରିଲା—ଚୁପ୍‍ଚାପ୍‌ ବସି କଣ ଭାବୁଛ ଭାଇ ?

 

ମୁହଁ ବୁଲାଇ ବିମଳାକୁ ଚାହିଁ ସେ ସାମାନ୍ୟ ହସି କହିଲା—ନାଇଁ, କିଛି ଭାବୁନି ଭଉଣୀ, କେବଳ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲି ସେ ଯେମିତି ସଦାଦିନ ତତେ ଏମିତି ସୁଖଶାନ୍ତିରେ ରଖିଥାଆନ୍ତୁ, ତତେ ଏମିତି କରୁଣାମୟୀ କରିଥାଆନ୍ତୁ ।

 

ବିମଳା ପାଖକୁ ଆସି ତାହାର ପାଦଧୂଳି ନେଇ ମୁଣ୍ଡରେ ମାରି ଗୋଟାଏ ଚୌକି ଟାଣି ଆଣି ବସିଲା ।

 

ନରେନ୍ଦ୍ର ପଚାରିଲା—ତୁ ଆଜି ଦିପହରେ ଏମିତି ରାଗି ଗଲୁ କାହିଁକି କହ ତ ?

 

ମୁଁ ଏତେ ଅନ୍ୟାୟ ସହିପାରେନା । କାହିଁକି ତୁମେ ଏତେ—

 

ଏତେ ଆଉକଣ ? ତୁ ଏବେ ନିଜେ ଇନ୍ଦୁକଥା ବିଚାର କରି ଦେଖ ତ ? ତାକୁ କଣ ମୁଁ କେବେ ସୁଖରେ ଟିକିଏ ରଖିପାରିଲି ? ବିଚାରୀ କେତେ ଦୁଃଖୀ ସତେ—

 

ହଉ, ଥାଉ ଥାଉ । ସୁଖରେ ରହିପାରିବା ଭଳି କ୍ଷମତା ଥିଲେତ ? ସେ ଯାହା ପାଇଛନ୍ତି, ସେମିତି କେତେଜଣ ବା ପାଆନ୍ତି ? କିନ୍ତୁ ସୌଭାଗ୍ୟକୁ ମୁଣ୍ଡରେ ମୁଣ୍ଡେଇ ଧରି ରଖିବାକୁ ହେବ । ନହେଲେ—

 

ବିମଳା କଥାଟା ଶେଷ କରି ପାରିଲା ନାହିଁ । ଲାଜରେ ତଳକୁ ମୁହଁ ପୋତି ବସିରହିଲା-

 

ନରେନ୍ଦ୍ର ସ୍ନେହ-ସୋହାଗଭରା ଦୃଷ୍ଟିରେ ବିମଳାକୁ ଚାହିଁ କ୍ଷଣକ ପରେ କହିଲା—ଲାଜ୍ଜ କରନି ବିମଳା, ସତ କହିଲୁ, ତୁମ ଦି ଜଣଙ୍କ ଭିତରେ କଣ କେବେ ଝଗଡ଼ା ହୁଏନି ?

 

ବିମଳା ଲଜ୍ଜିତ ହୋଇ କହିଲା—ବୁଝିଲି ସେ ବୋଧହୁଏ କିଛି କହିଛନ୍ତି ।

 

ନରେନ୍ଦ୍ର ସାମାନ୍ୟ ହସି କହିଲା—ନା, ଗଗନବାବୁ କିଛି କହି ନାହାନ୍ତି । ମୁଁ ତତେ ହିଁ କେବଳ ପଚାରୁଛି ।

 

ଲାଜରେ ବିମଳାର ମୁହଁ ଲାଲ ପଡ଼ିଗଲା । ସେ ମୁହଁରେ ହସ ଉକୁଟାଇ ଆସ୍ତେ ଆସ୍ତେ କହିଲା—ତମମାନଙ୍କୁ ଝଗଡ଼ା କରି କିଏ ସମ୍ଭାଳି ପାରିବ କହିଲ ? ଶେଷରେ ଏୟା ହବ ଯେ ଗୋଡ଼ ତଳେ ପଡ଼ି—କିଏ ସେଠି ଠିଆ ହେଇଛନ୍ତି ଲାଗୁଛି ?

 

ମୁଁ ମୁଁ । ଭୟ କରନି, କହି ଯାଅ । ଅଟକିଲ କାହିଁକି ଝଗଡ଼ା କରି କା, ଗୋଡ଼ତଳେ କେବେ ପଡ଼ିଥିଲ ଶୁଣେ ?

 

ଯାଃ । ଯୋଉ ସାଧୁ ପୁରୁଷ ନା ! ଯିଏ ଲୁଚି ରହି ପର କଥାବାର୍ତ୍ତା ଶୁଣନ୍ତି ମୁଁ ତାଙ୍କ କଥାର ଜବାବ ଦେଇ ପାରିବିନି । ଏହା କହି, ବିମଳା କୃତ୍ରିମ କ୍ରୋଧର ଆଢ଼ୁଆଳରେ ହସର ଲହରି ଖେଳାଇ ଉଠି ଘରୁ ବାହାରି ଚାଲିଗଲା ।

 

ନରେନ୍ଦ୍ର ଗୋଟାଏ ଲମ୍ବା ନିଶ୍ଵାସ ଛାଡ଼ି ତକିଆଟାକୁ ପିଠି—ତଳେ ଦେଇ ଆଉଜି ବସିଲା ।

 

ଗଗନବାବୁ ପଚାରିଲେ—କେମିତି ଅଛ ଭାଇ ?

 

ଖୁବ୍‌ ଭଲ ଅଛି ଗଗନବାବୁ । ତୁମମାନଙ୍କର ସେବା ଯତ୍ନ ଜୀବନରେ ଭୁଲି ପାରିବିନି । ମତେ ଏଥର ବିଦାୟ ଦେଲେ ଭାରି ଖୁସି ହେବି ।

 

ବିଦାୟ ! ଏଇଲେ କଣ ? ଆଗେ ଭଲ ହେଇ ଟିକିଏ ଦମ୍ଭ ହୁଅ, ତା’ ପରେ ଖୁସିରେ ଚାଲିଯିବ, କେହି ଅଟକାଇବେ ନାହିଁ । ତୁମର ଏଇ ଭଉଣୀଟିର ସେବା ଶୁଶ୍ରୂଷାରେ ଯେ ଯେଉଁ କେତେଟା ଦିନ ରହେ ତାହାର ପରମାୟୁ ସେତିକି ବର୍ଷ ବଢ଼ିଯାଏ, ୟା ତୁମେ ଜାଣ ?

 

ଜାଣିନି ସତ, କିନ୍ତୁ ମୋର ଏଥିରେ ପୂରା ବିଶ୍ଵାସ ଅଛି ।

 

ଗଗନ ବାବୁ କହିଲେ—ବିଶ୍ଵାସ କଣ ହେ, ଏହା ଯେ ପ୍ରମାଣିତ ହେଇ ସାରିଛି ! ବାସ୍ତବିକ ନରେନ୍‌ ବାବୁ, ଏମିତି ରତ୍ନଟିଏ ସଂସାର ଯାକ ଖୋଜିଲେ ବି ମିଳବା ମୁସ୍କିଲ୍‌ । ଭାଗ୍ୟ ! ଭାଗ୍ୟରେ ଥିଲେ ମିଳେ—ଯାହା କହନ୍ତି ଭାଗ୍ୟ ଫଳତି ! ନହେଲେ ମୋ ଭଳି ଗୋଟାଏ ହତଭାଗାର ଭାଗ୍ୟରେ ଏମିତ ରତ୍ନ ମିଳବା ସହଜ ନୁହେଁ; —ସ୍ୱପ୍ନରେ ସୁଦ୍ଧା ନୁହେଁ । ଏ ସୁଯୋଗ ଛାଡ଼ି ଏତେ ଶୀଘ୍ର ଚାଲିଯିବା ପାଇଁ ତମର ଇଚ୍ଛା ବଳୁଛି କେମିତି କହିଲ ? ଆଉ କେତେଟା ଦିନ ଏଠି ରହିଯାଅ । ସତ କହୁଛି ଭାଇ, ଏ ସୁଖ ସ୍ଵର୍ଗକୁ ଗଲେ ବି ମିଳିବ ନାହିଁ ।

 

ବିମଳା ପର୍ଦ୍ଦା ଆଢ଼ୁଆଳରେ ଠିଆ ହୋଇ କାନ ପାତିଥିଲା । ପର୍ଦ୍ଦା ଫାଙ୍କରେ ଉଙ୍କିମାରି ସନ୍ଧ୍ୟାର ସେଇ ଝାପ୍‌ସା ଅନ୍ଧାର ଭିତରେ ସ୍ପଷ୍ଟ ଦେଖି ପାରିଲା—ତା ସ୍ଵାମୀଙ୍କ କଥା ଶୁଣି ଭାଇ ନରେନ୍ଦ୍ରର ମୁହଁଟା ଯେମିତି ଆନନ୍ଦରେ ଝଲସି ଉଠୁଛି ।

 

ଚାରି

 

ଅଠର ଦିନ ପରେ ଦିପହର ଗାଡ଼ିରେ ଇନ୍ଦୁ ଝିଅକୁ ସାଙ୍ଗରେ ମେଦିନୀପୁରରୁ ଫେରି ଆସିଲା । ସ୍ତ୍ରୀ ଓ କନ୍ୟାକୁ ସୁସ୍ଥ ସବଳ ଦେଖି ନରେନ୍ଦ୍ରର ଶୁଷ୍କ ପାଣ୍ଡୁର ମୁହଁରେ ଆନନ୍ଦ ଫୁଟି ଉଠିଲା । ସେ ଘୁମନ୍ତ କନ୍ୟାକୁ ଛାତିରେ ଜାକି ଧରି ପଚାରିଲା—ଦେହ କେମିତି ଅଛି ଇନ୍ଦୁ ?

 

ଭଲ ଅଛି । କାହିଁକି ?

 

ତୁମକୁ ଜ୍ଵର ହେଇଥିଲା ଶୁଣି ମନଟା ଭାରି ଖରାପ ଲାଗିଲା । ଭଲ ହୋଇ ଯାଇଛି ତ-?

 

ନ ହେଇଥିଲେ ଡାକ୍ତର ଡାକି ଆଣି ଦେଖାଇବ ନା କଣ ?

 

ନରେନ୍ଦର ହସହସ ମୁହଁ ନିମିଷକ ମଧ୍ୟରେ ମଳିନ ପଡ଼ିଗଲା, କହିଲା—ଦେହ ଖରାପ ଥିଲା ନା, ସେଇ କଥା ପଚାରୁଥିଲି ।

 

ପଚାରି ଲାଭ କଣ ? ପଚାଶଟା ଟଙ୍କା ପଠାଇ ଦେଇ ଚିଠି ଉପରେ ଚିଠି—କେମିତି ଅଛ, କଣ ହେଇଛି, ସାବଧାନରେ ଚଳିବ, ଖାଲି ଏଇ କଥା ! ମୁଁ ଅଜ୍ଞାନ ପିଲା ହେଇଥିଲି ନା କଣ-? ତମକୁ ଟଙ୍କା ପଠାଇବା ପାଇଁ କିଏ କହିଥିଲା ? ପଚାଶଟା ଟଙ୍କା ମୋ ଭାଇ ମତେ ଦେଇ ପାରି ନଥାନ୍ତେ ନା କଣ ? ଟଙ୍କା ପଠାଇ ସମସ୍ତଙ୍କ ପାଖରେ ମୋ ମୁଣ୍ଡ ନୁଆଁଇ ଦେବା କି ଦରକାର ଥିଲା ? ସେ ଦିନ ମତେ ଯୋଉ ଥଟ୍ଟା କଲେନା, ମୋ ମୁହଁ ଏକା ବେଳକେ ପୋଡ଼ିଗଲା-

 

ନରେନ୍ଦ୍ରର ମୁହଁ ଆହୁରି ମ୍ଳାନ ପଡ଼ିଗଲା । ସେ ଅସ୍ଫୁଟ ସ୍ଵରରେ କହିଲା—ଯେତେ ଚେଷ୍ଟା କଲି ଆଉ ଯୋଗାଡ଼ ହେଇପାରିଲା ନାହିଁ ।

 

ଟଙ୍କା ନ ପଠାଇ ସେୟା ଲେଖି ଦେଲନି ? ଖାଲି ସବୁବେଳେ ସେଇ ଅଭାବ ଅସୁବିଧା କଥା । ଏଇ କେତେ ଦିନ ହେଲା କେଡ଼େ ସୁଖରେ ନଥିଲି ସତେ ! ଘରକୁ ଆସିଲି ତ ସେଇକଥା । ମୋ କପାଳରେ ଏୟା ଥିଲା ! ବାସ୍ତବିକ ବଡ଼ଘରର ଝିଅହେଇ ଗରିବ ଘରେ ପଡ଼ିବାଠୁ ବଳି ମହାପାପ ଆଉ ଜଗତରେ ନାହିଁ । ଏହା କହି, ଏଇ ପରମ ସତ୍ୟରେ ସ୍ଵାମୀର ହୃଦୟ ପରିପୂର୍ଣ୍ଣ କରି ଦେଇ ଇନ୍ଦୁ ତମ ତମ ହେଇ ଘରୁ ବାହାରି ଚାଲିଗଲା ।

 

ବାହାରକୁ ଆସି ଘରର ଏଣେ ତେଣେ ଦୃଷ୍ଟି ପକାଇ ଯାଇ ନିଜର ଶୋଇବା ଘରେ ପଶିଲା । ଦେଖିଲା, ଆଉସବୁ ଘର ପରି ଏ ଘରଟା ମଧ୍ୟ ବେଶ ପରିଷ୍କାର ପରିଚ୍ଛନ୍ନ ହୋଇଛି ଏବଂ ଜିନିଷପତ୍ର ଗୁଡ଼ାକ ସଜିଆ ସଜି ହେଇ ରଖା ହୋଇଛି । ଆଶ୍ଚର୍ଯ୍ୟ ହୋଇ ଚାକରାଣୀକି ପଚାରିଲା–ଘରଦ୍ଵାର ଏତେ ସଫାସୁତୁରା ହୋଇଚି କାହିଁକି ?

 

ଚାକରାଣୀ କହିଲା—ମା, ତମେ ଆସିବ ବୋଲି ।

 

ମୁଁ ଆସିବି ବୋଲି ।

 

ହଁ ମା, ବାବୁ ତ ସେୟା କହୁଥିଲେ । ତମେ କୁଆଡ଼େ ଘରଦ୍ଵାର ଅପରିଷ୍କାର ଅପରିଚ୍ଛନ୍ନ ଦେଖିଲେ ସହିପାରନା, ସେଇଥି ପାଇଁ ଆଜିକି ତିନି ଦିନ ହେଲା—

 

ଇନ୍ଦୁ ମନେ ମନେ ଭାରି ଗର୍ବ ଅନୁଭବ କଲା । ସହଜ ସ୍ଵରରେ କହିଲା—ଅପରିଷ୍କାର କିଏ ବା ସହିବ ! ଭଲ ଭାବରେ—

 

ହଁ ମା, ତିନିଜଣ ଲୋକ ଲାଗି ଉପର ତଳ ଭଲଭାବରେ ସଫା କରିଛନ୍ତି ।

 

ହଉ ଭଲ ହେଇଛି, ଆଚ୍ଛା ତୁ ଗଲୁ ଟିକେ ରାମଟହଲ୍‌କୁ ଡାକି ଦେବୁ, ବଜାରରୁ ଯାଇ ଫଳ ଫୁଳା କଣ କିଣି ଆଣିବ ।

 

ଫଳ ମୂଳତ ସବୁ ଅଛି, ମା । ବାବୁ ଆଜି ସକାଳେ ନିଜେ ଯାଇ ବଜାରରୁ ସବୁ କିଣି ଆଣିଛନ୍ତି ।

 

ପଇଡ଼ ଅଛି ? ଅଙ୍ଗୁର, ନାସପାତି—

 

ସବୁ ଅଛି । ମୁଁ ଯାଇ ଏଠିକି ନେଇ ଆସୁଛି, କହି ଚାକରାଣୀ ଚାଲିଗଲା ।

 

ଇନ୍ଦୁ ମୁହଁ ଉପରୁ ବିରକ୍ତିର ମେଘ ଅପସରିଗଲା । ତା ଆଖି ଆଗରେ ସ୍ଵାମୀର ଶୁଷ୍କ ମୁହଁଟା ଜଳ ଜଳ ହେଇ ଦେଖାଗଲା । ସହାନୁଭୂତିରେ ତା ଅନ୍ତର ଭିତରଟା ମୁହୂର୍ତ୍ତକ ପାଇଁ ଭରିଗଲା ।

 

ଟିକିଏ ବିଶ୍ରାମ ନେଇ ଇନ୍ଦୁ ହସ ହସ ମୁହଁରେ ବୈଠକଖାନା ଭିତରକୁ ପଶିଆସି ଦେଖିଲା, ନରେନ୍ଦ୍ର ଚଷମା ବାହାର କରି ନଇଁପଡ଼ି କଣ ଲେଖିବାରେ ଲାଗିଛି । ପାଖରେ ଠିଆ ହେଇ ପଚାରିଲା—ଏତେ ମନଧ୍ୟାନ ଦେଇ କଣ ଲେଖୁଛ ମ ? କବିତା ?

 

ନରେନ୍ଦ୍ର ମୁହଁ ଟେକି ଚାହିଁ କହିଲା—ନା ।

 

ତେବେ, ଆଉ କଣ ?

 

ନା, ସେ କିଛି ନୁହେଁ, କହି କାଗଜ ଚଉତି ରଖିଦେଲା ।

 

ଇନ୍ଦୁର ହସ ହସ ମୁହଁ ଉପରେ ପୁଣି କଳାମେଘ ଛାଇ ହୋଇଗଲା । କହିଲା, ତା’ ହେଲେ ‘କିଛି ନୁହେ’ ଟା ଉପରେ ଏତେ ଝୁଙ୍କି ନ ପଡ଼ି ଯେଉଁଥିରେ ଘରର ଅଭାବ-ଅସୁବିଧା ଦୁଃଖ-କଷ୍ଟ ଦୂର ହେବ, ସେଥିରେ ମନଯୋଗ ଦିଅ । ଶୁଣିଲି ଭାଇଙ୍କ ଅଫିସରେ ଚାକିରୀ ଖାଲି ଅଛି । ସେଥିପାଇଁ ହେଲେ ଚେଷ୍ଟା କର, କହି ସ୍ଵାମୀର ମୁହଁକୁ ଏକଲୟରେ ଚାହିଁ ରହିଲା । ସେ ଜାଣେ, ଏଇ ଚାକିରୀ କଥା ଶୁଣିଲେ, ନରେନ୍ଦ୍ର ଘୃଣାରେ ନାକଟେକେ । କିନ୍ତୁ ଆଜି ସେ ଆଶ୍ଚର୍ଯ୍ୟ ହୋଇ ଦେଖିଲା—ଏ ଚାକିରୀ କଥା ଶୁଣି ତା ମନରେ କୌଣସି ଭାବାନ୍ତର ଦେଖା ଗଲାନି । ମୁହଁରେ ବିରକ୍ତିର ସୂଚନା ମିଳିଲା ନାହିଁ ।

 

ନରେନ୍ଦ୍ର ଶାନ୍ତ ସ୍ଵରରେ କହିଲା—ତାଙ୍କ ଅଫିସରେ ଖାଲି ଜାଗା ପୂରଣ କରିବା ପାଇଁ ସେଠାରେ ଲୋକର ଅଭାବ ନାହାନ୍ତି ।

 

ଏମିତି ଅପ୍ରତ୍ୟାଶିତ ଉତ୍ତରରେ ଇନ୍ଦୁର ଦେହ-ମନ ରାଗରେ ଜଳିଉଠିଲା । କ୍ଷଣକଯାଏଁ ଚୁପ୍‌ଚାପ୍‍ ଠିଆ ହୋଇ ରହି ଗମ୍ଭୀର ସ୍ଵରରେ କହିଲା—ତା’ ଜାଣେ । ସେଠାକୁ ନ ଗଲେ ନାହିଁ ପଛକେ, ଏଠାରେ କଣ ଚାକିରୀ ମିଳୁନି ? ଆଜି କାଲି ଭଲ କଥା କହିଲେ, ତମକୁ ଭାରି ଖରାପ ଲାଗୁଛି ଦେଖୁଛି ! ଘର କୋଣରେ ଦିନ ରାତି ବସି ରହି କବିତା ଲେଖୁଛ ଏଣେ ଘରେ ଅଭାବ ଅସୁବିଧା କହିଲେ ନ ସରେ, ଲାଜ ଲାଗୁନି ତମକୁ ? କହି ସେ ଘରୁ ବାହାରି ଚାଲିଗଲା ।

 

ଆରେ ଭାଉଜ ଯେ ! କୋଉଦିନ ଆସିଲ ?

 

ପଅରଦିନ ଦି’ ପହର ଗାଡ଼ିରେ ।

 

ପହରଦିନଠୁ ଆସିଲାଣି, ଆଜିଯାଏ ଦେଖାନାହିଁ ? ମୁହଁଟାତ କାହିଁକି ଭାରି ଗମ୍ଭୀର ଜଣାପଡ଼ିଛି ? ଟାଣ ଟିକିଏ କମ୍ ହେଉ !

 

ଇନ୍ଦୁ ମୁଣ୍ଡ ହଲେଇ କହିଲା—ତମଆଡ଼ୁ ତ ଚିଠିପତ୍ର କିଛିଦେଲନି, ମୋ ଚିଠିର ବି ଜବାବ ମିଳିଲା ନାହିଁ । ଟାଣଟା କାହାର ବେଶୀ କହ ତ ତୁମେ ?

 

ବିମଳା ଆଶ୍ଚର୍ଯ୍ୟହେଇ ପଚାରିଲା—କଣ, ମୋ ଚିଠି ପାଇନ ତୁମେ !

 

ଚିଠି ପାଇନି କାହିଁକି, ପାଇଛି । ଚାରିପୃଷ୍ଠା ଚିଠିର ଜବାବ କଣ ଚାରି ଧାଡ଼ିରେ ହେଇଯାଏ ?

 

ବିମଳା ଅପ୍ରତିଭ ହେଇ କହିଲା—କ୍ଷମା ଦିଅ ଭାଉଜ, ସମୟ ନ ଥିଲା, ତରତର ହେଇ ଲେଖି ଦେଇଥିଲି । ଭାଇଙ୍କି ଏଠିକି ନେଇ ଆସିଲି ସିନା, କିନ୍ତୁ ତାଙ୍କର ଅବସ୍ଥା ଯାହାହେଲା ନା—

 

ଇନ୍ଦୁ କିଛି ବୁଝିପାରିଲା ନାହିଁ, ବିମଳାର ମୁହଁକୁ ଚାହିଁ ରହିଲା ।

 

ବିମଳା ତା ଆଡ଼କୁ ଲକ୍ଷ୍ୟ ନ ରଖି କହି ଲାଗିଲା—ସେଦିନ କଥା କେବେହେଲେ ମନରୁ ପାସୋର ଯିବନି ଭାଉଜ । ସାତଦିନ ଦିନ ଖବର ପାଇ ଯାଇ ଭାଇଙ୍କୁ ଏକ ପ୍ରକାର ଜୋର ଜବରଦସ୍ତି କରି ଏଠିକି ନେଇ ଆସିଲି । ଦି’ ଦିନ ତାଙ୍କ ଛାତିର ବଥାଟା ଟିକିଏ ବେଶୀ ବଢ଼ିଗଲା । ତେଣେ ଅମ୍ବିକା ବାବୁଙ୍କ ଦେହ-ଦୁଃଖ କଥା ବି କହିଲେ ନ ସରେ । ତାଙ୍କୁ ତ ଏକ ପ୍ରକାର ଛାଡ଼ିଦେଇ ବସିଥିଲେ । କହିଲେ ମିଛ କରିବ ଭାଉଜ, ସେକ ଦେଇ ଦେଇ ଆଉ ଫୋମେଣ୍ଟ୍‌ କରି କରି ହାତରୁ ଚୋପା ଛାଡ଼ିଗଲା । ଘର ସାରା କାହାରି ମନରେ ସୁଖ-ଶାନ୍ତି ନ ଥାଏ । ସେଦିନ ତ ଖିଆ-ପିଆ ପର୍ଯ୍ୟନ୍ତ ବି ବନ୍ଦ ହୋଇଗଲା । ଅମ୍ବିକା ବାବୁଙ୍କ ସ୍ତ୍ରୀ ସେମିତି ‘ସତୀସ୍ଵାଧୀ’ ବୋଲି ତା’ ପ୍ରାର୍ଥନା ଭଗବାନ ଶୁଣିଲେ । ପିଲାଲୋକ ହେଲେ କଣ ହେବ, ତା’ରି ଯେଉଁ ସେବା ଯତ୍ନ ନା ମୋ ଜାଣିବାରେ ତା’ ରି ପୁଣ୍ୟରୁ କେବଳ ଅମ୍ବିକା ବାବୁ ବର୍ତ୍ତିଗଲେ । ନ ହେଲେ ଡାକ୍ତର ବୈଦ୍ୟଙ୍କର ସାଧ୍ୟ କୋଉଠି ଥିଲା, ତାଙ୍କୁ ଭଲକରି ଥାଆନ୍ତେ !

 

ଅମ୍ବିକାବାବୁ କିଏ ?

 

କେଜାଣି ସେ କିଏ ! ଖାଲି ଏତିକି ଶୁଣିଛି ଯେ କୋଉ ପଲ୍ଲୀଗାଁରେ ତାଙ୍କର ଘର । ଚିକିତ୍ସାପାଇଁ ଆସି ଆମରି ଘର ପାଖରେ ବସା ଭଡ଼ା ନେଇ ରହିଛନ୍ତି । ସାଥିରେ ଆଉ ଲୋକବାକ କେହି ନାହାନ୍ତି କି ହାତରେ ପଇସାପତ୍ର କିଛି ନାହିଁ । ଖାଲି ସେଇ ବୋହୂଟା । ବୟସ ବେଶୀ ନୁହେଁ ମ, ଏଇ କୋଡ଼ିଏ ଏକୋଇଶ ବର୍ଷ ମୋଟେ ହବ ।

 

ଇନ୍ଦୁ ପଚାରିଲା—ତମ ଭାଇଙ୍କର ବେମାରଟା ତା’ ହେଲେ ଖୁବ୍‌ ବଢ଼ିଯାଇଥିଲା ?

 

ଆଉ କାହିଁକି କହୁଛ ସେ କଥା ଭାଉଜ, ଆମେ ତ ସବୁ ସେଦିନ ରାତିରେ ଭୟ କରିଯାଇଥିଲୁ । ଦେଖୁନ, ହେଇଟି ସେ ତାଙ୍କ ଉପରେ କେତେ ଖାଲି ଔଷଧ ଶିଶି ଥୁଆ ହେଇଚି । ତିନିଟା ଡାକ୍ତର ତାଙ୍କ ପାଖରେ ଜଗି ବସି ଥାଆନ୍ତି, ଭାଇ କଣ ତମ ପାଖକୁ ଏ ସବୁ ବିଷୟ କିଛି ଲେଖି ନାହାନ୍ତି ?

 

ନାଁ ।

 

ତେବେ ଏଇଠିକି ଆସିବା ପରେ ସବୁ ଶୁଣିଲ ?

 

ଇନ୍ଦୁ ଉଦାସୀନ ଭାବରେ ଉତ୍ତର ଦେଲା—ହଁ ।

 

ମୁଁ ତ ଭାବିଥିଲି ସେଇଦିନ ତମ ପାଖକୁ ଟେଲିଗ୍ରାମ୍‌ କରି ଦେବି ବୋଲି । ବେଶୀ ଦୂର ତ ନୁହେଁ, ଦି ତିନି ଘଣ୍ଟାର କଥା, କିନ୍ତୁ ଭାଇ ଆଦୌ ମଙ୍ଗିଲେ ନାହିଁ । ତା’ ପରେ ହସି ହସି ସାଙ୍ଗେ ସାଙ୍ଗେ ପଳାଇ ଆସିଥାନ୍ତି । କହିଲା—ତାଙ୍କୁ ତମେ କି କିମିୟା କରିଛ କେଜାଣି, କଣ କହିଲେ ଜାଣ ? କହିଲେ—‘ନାଇଁ ବିମଳା, ତୁ ଖବର-ଫବର କିଛି ଦେ’ ନା । ସେଠି ତାଙ୍କ ଦେହ ଭାରି ଖରାପ, ମୋ ଦେହ ଦୁଃଖ କଥା ଶୁଣିଲେ ସେ ବ୍ୟସ୍ତ ହୋଇପଡ଼ିବେ ।’ ଯାହାହେଉ, ଭଗବାନଙ୍କ କୃପାରୁ ସେ ଭଲ ହୋଇଗଲେ । ନ ହେଲେ—

 

ନ ହେଲେ ଆଉ କଣ ହୋଇ ଥାଆନ୍ତା ବିମଳା ? ଦେହ ଭଲ ହେଲା, ମୋର ଦରକାର ପଡ଼ିଲା ନାହିଁ; ଦେହ ଭଲ ନ ହେଇଥିଲେ, ମୋର ଦରକାର ପଡ଼ି ନ ଥାନ୍ତା କହି, ଉଠିଯାଇ ଖାଲି ଔଷଧ ଶିଶିଗୁଡ଼ାକ ଖେଳାଖେଳି କରି ଦେଖିବାକୁ ଲାଗିଲା ।

 

କିନ୍ତୁ ଆଜି ଏ କି କଥା ! ଯାହା କାଳେବେଳେ ନାହିଁ, ତା ଆଜି ହେଲା କେମିତି ! ହଠାତ୍‌ ତା ଆଖି ଫାଟି ଲୁହ ଝର ଝର ହେଇ ଝରିପଡ଼ିଲା । ଭାବିଲା—କାହିଁକି, ସେ କଣ କେହି ନୁହେଁ ଯେ, ଏତେ ବଡ଼ କଥା ହେଇଗଲା; ହୁଏତ ତା ପାଖକୁ ଖବର ସୁଦ୍ଧା ପଠା ଗଲାନି ! ସେ ବା ନିଜ ଦେହ ଦୁଃଖ ବିଷୟରେ କଣ ଏମିତ ଲେଖିପକାଇ ଥିଲା ଯେ, ଯା ଫଳରେ ତା ପାଖକୁ ସମ୍ବାଦ ପଠାଇବାଟାକୁ କେହି ଉଚିତ ମନେ କଲେନି ! ସେ ଭଲ ହେଇଯିବା ପରେ ଚିଠିରେ ତ କେତେ କଣ ଲେଖିଥିଲେ । କୋଉଟାହେଲେ ଭୁଲି ଯାଇ ନ ଥିଲେ, କେବଳ ନିଜ ଦେହ କଥାଟା ଲେଖିବାକୁ କଣ ଭୁଲିଗଲେ ! ଚିଠିରେ ବା ନ ଲେଖିଲେ, ଏଠିକି ଆସିବାର ତ ଦିନଦିନ ହେଇଗଲାଣି, କାହିଁ ସେ କଥା ତ ଏ ପର୍ଯ୍ୟନ୍ତ କହି ନାହାନ୍ତି !

 

ଅଭିମାନରେ ତା ଅନ୍ତର ଭିତର ଭରିଗଲା । ସେ ତାହା ଲୁଚାଇ ରଖିବାକୁ ଚେଷ୍ଟାକଲା; କିନ୍ତୁ ପାରିଲାନି—ବିମଳା ପାଖରେ ଧରାପଡ଼ିଗଲା । ପାଖକୁ ଆସି ବିମଳା କହିଲା—ଆଉ ସେ ଖାଲି ଔଷଧ ଶିଶି ଗୁଡ଼ାକୁ ଖେଳାଖେଳି କରି ଲାଭ କଣ ଭାଉଜ, ସେଗୁଡ଼ା କେବେହେଲେ ମିଛରେ ସାକ୍ଷ୍ୟ ଦେବେନି । ସେମାନଙ୍କ ଉପରେ ତୁମେ ଯେତେ ଜୁଲମ କଲେ ବି ସତ କଥା କହିବେ । ସେ ଗୁଡ଼ାକୁ ସେଠି ଛାଡ଼ି ଦେଇ ଆସ, ତମ ଚା’ ଥଣ୍ଡା ହୋଇ ଯାଉଛି ।

 

ଚାଲ କହି, ଇନ୍ଦୁ ଅଲକ୍ଷ୍ୟରେ ଆଖିର ଲୁହପୋଛି ନେଇ ବିମଳା ସାଥିରେ ଆସିଲା ।

 

ଚା’ ଖିଆ ଶେଷ ହେଲା । ଇନ୍ଦୁ ମନରେ ଆଘାତ ଦେବା ଇଚ୍ଛାରେ କି ଅଜାଣନ୍ତରେ କେଜାଣି, କହିଲା—ବାସ୍ତବିକ୍‌ ଲକ୍ଷ୍ୟ କରିବା କଥା ଭାଉଜ ! ଗୋଟାଏ ଘରେ ଦି ଜଣ ରୋଗୀ, କିନ୍ତୁ ଦି ଜଣଙ୍କର ଭିନ୍ନ ପ୍ରକୃତି । ଏଇଲେ, ଆଉ ଟିକକୁ-ଏମିତି ଅବସ୍ଥାରେ ପଡ଼ି ବି ଭାଇ ତମପାଖକୁ ଖବର ଦେବାକୁ ନାରାଜ, ତାଙ୍କର ଭୟ ତମେ କାଳେ ଦେହଦୁଃଖ ବେଳେ ବ୍ୟସ୍ତ ହୋଇପଡ଼ିବ, ତେଣେ ଅମ୍ବିକା ବାବୁ ମୁହୂର୍ତ୍ତକ ପାଇଁ ବି ସ୍ତ୍ରୀକୁ ଆଖିଆଗରୁ ଛାଡ଼ିବାକୁ ନାରାଜ । ତାଙ୍କର ଭୟ—କାଳେ ସ୍ତ୍ରୀ ଆଖି ଆଗରୁ ଚାଲିଗଲେ ତାଙ୍କର ପ୍ରାଣ ଛାଡ଼ିଯିବ ପରା ! ଏମିତିକି ସେ ସ୍ତ୍ରୀ ଛଡ଼ା ଆଉ ଅନ୍ୟ କାହାରି ହାତରୁ ଔଷଧ ଖାଇବାକୁ ବି କୁଣ୍ଠିତ । ଏମିତି କଥା କେବେ ଶୁଣିଥିଲ ଭାଉଜ ? ଆମ ୟାଙ୍କୁ ସିନା ତମେ ସମସ୍ତେ ଥଟ୍ଟା କର, କିନ୍ତୁ ଅମ୍ବିକାବାବୁ ସମସ୍ତଙ୍କୁ ଟପିଗଲେ । ବର ଖଟିଖଟି ଏକାବେଳକେ ମଢ଼ା ମଣିଷପରି ହୋଇଗଲା ।

 

ହୁଁ, କହି ଇନ୍ଦୁ ଉଠି ଠିଆହେଲା । କହିଲା, ଆଉଦିନେ ଆସି ତମର ସେଇ ସତୀ ସାଧ୍ଵୀ ବୋହୂ ପିଲାଟି ସହିତ କଥାବାର୍ତ୍ତା ହେଇଯିବି, ଆଜି ଆଉ ବେଳ ନାହିଁ, ଯାଉଛି ବିମଳା ।

 

କାଲି ଆଉ ଥରେ ଆସନା ଭାଉଜ ! ତା ସାଙ୍ଗରେ କଥାବାର୍ତ୍ତା ହେଲେ ତମକୁ ପ୍ରକୃତରେ ଭାରି ଖୁସି ଲାଗିବ ।

ହେଉ, ଚେଷ୍ଟାକରିବି । ଖାଲି ଖୁସି ହେବିନି ତ, ହୁଏତ କିଛି ତା’ଠୁଁ ଶିଖିପାରିବି, କହି ଇନ୍ଦୁ ଶୁଖିଲା ହସ ହସି ଚାଲିଗଲା ବାଟଯାକ ଭାବି ଭାବି ଅମ୍ବିକା ବାବୁଙ୍କ ପାଗଳାମୀ କଥା, ନିଜ ସ୍ଵାମୀର ମଙ୍ଗଳ କାମନା ତା ଆଖି ଆଗରେ ତୁଚ୍ଛ ହେୟ ଜଣାପଡ଼ିଲା । ଲାଜରେ ତା ମୁହଁ ଝାଉଁଳି ପଡ଼ିଲା ।

 

ପାଞ୍ଚ

 

ଦି ଦିନ ପରେ କଥାବାର୍ତ୍ତା ହେଉହେଉ ଇନ୍ଦୁ ଅତ୍ୟନ୍ତ ବିରକ୍ତ ହୋଇ ଉଠି କହିଲା—ଯେବେ ସତ କଥା କହିଲେ ନ ରାଗିବ, ତେବେ ଏଇଟା ନିରାଟ ସତ ଯେ ତମ ଭାଇଙ୍କର ବିବାହ କରିବାଟା ଆଦୌ ଉଚିତ ହେଇନି, ଆଉ ଏଇ ଅମ୍ବିକା ବାବୁଙ୍କର ମଧ୍ୟ ।

 

ବିମଳା ବିସ୍ମିତ ହୋଇ ଚାହିଁ ପଚାରିଲା—କାହିଁକି ଭାଉଜ

 

କାରଣ ଯାହାର ପୋଷିବା ପାଇଁ ବଳ ନଥିବ ସେ ବିବାହ କରିବାଟା ଖାଲି ପାପ ନୁହେଁ, ମହାପାପ ।

 

ଉତ୍ତର ଶୁଣି ବିମଳା ଆଶ୍ଚର୍ଯ୍ୟ ହୋଇଗଲା । ଇନ୍ଦୁକୁ ସେ ଖୁବ୍‌ ଭଲପାଏ । ଟିକକ ପରେ କହିଲା—ଅମ୍ବିକା ବାବୁଙ୍କର ହୁଏତ ଅନ୍ୟାୟ ହୋଇ ପାରିଥାଏ, କିନ୍ତୁ ତା ବୋଲି ତା ସ୍ତ୍ରୀ ନିଜ କର୍ତ୍ତବ୍ୟ କରିବାରେ ହେଳା କରିବ ? ତାକୁ ତ ମଲାପର୍ଯ୍ୟନ୍ତ ନିଜ ସ୍ଵାମୀର ସେବା କରିବାକୁ ପଡ଼ିବ !

 

କାହିଁକ ପଡ଼ିବ ? ସେମାନେ ଅନ୍ୟାୟ କରିବେ, ଯାହା କରିବା କଥା ନୁହେଁ, ତା’ କରିବେ—ଆଉ ଫଳ ଭୋଗ କରିବା ଆମେ ? ତୁମେ ଇଂରେଜୀ ପଢ଼ିନ, ଆଉ ପାଞ୍ଚଟା ସଭ୍ୟ-ସମାଜ ବିଷୟରେ ତୁମର ଧାରଣା ନାହିଁ ବୋଲି ଏମିତି କହୁଛ । ନହେଲେ ତୁମକୁ ବୁଝେଇ ଦେବା ପାଇଁ ମତେ ବେଶୀ ବେଳ ଲାଗନ୍ତା ନାହିଁ ଯେ କର୍ତ୍ତବ୍ୟଟା କେବଳ ଗୋଟାଏ ପକ୍ଷର ନୁହେଁ—ହେବତ ଉଭୟ ପକ୍ଷର, ନାହିଁତ କାହାର ନୁହେଁ । ପୁରୁଷମାନେ ଆମକୁ ଏସବୁ କଥା ଶିଖିବାକୁ ଦିଅନ୍ତି ନାହିଁ ଏବଂ ସେଇ କାରଣରୁ କେବଳ ଆମେ ଅମ୍ବିକାବାବୁଙ୍କ ସ୍ତ୍ରୀ ଭଳି ଖାଲି ସେମାନଙ୍କର ସେବା କରି କରି ମଡ଼ା ପାଲଟୁ ।

 

ବିମଳା ମୁହୁର୍ତ୍ତକ ଯାଏଁ ଅବାକ୍‌ ହେଇ ଇନ୍ଦୁ ମୁହଁକୁ ଚାହିଁ ରହି କହିଲା—ନ ହେଲେ କରି ନଥାନ୍ତେ ! ସ୍ଵାମୀ ସେବା କରିବାଟା କଣ ସ୍ତ୍ରୀ ପକ୍ଷରେ ଦୁଃଖଦାୟକ ବୋଲି ତୁମେ ମନେକର ଭାଉଜ ? ଅମ୍ବିକାବାବୁଙ୍କ ସ୍ତ୍ରୀର ବାହାର କଷ୍ଟଟାକୁ ଖାଲି ଦେଖିଛ ନା ତା ଅନ୍ତରର ଆନନ୍ଦଟାକୁ ତା ସାଙ୍ଗେ ସାଙ୍ଗେ ଦେଖୁଛ ? ସେ କେତେ ଆନନ୍ଦ ଅନୁଭବ କରୁଛି ତା ଜାଣି ପାରୁଛ ତ !

 

ମୋର ଜାଣିବା ଦରକାର ନାହିଁ ।

 

ସ୍ଵାମୀ-ସୋହାଗ କଣ ତା ବୋଧହୁଏ ତୁମେ ଜାଣିବାକୁ ଚାହୁଁ ନାହଁ ?

 

ନା ବିମଳା, ମୋର ସେଥିରେ ଅରୁଚି ଆସିଯାଇଛି । ମୋ ମତରେ ତା’ ଠାରୁ ମୁଁ ଯେତିକି ଦୂରରେ ରହିବି, ମୋ ପକ୍ଷରେ ସେତିକି ମଙ୍ଗଳ ।

 

ବିମଳା ଠିଆ ହୋଇ କଥାବାର୍ତ୍ତା କରୁଥିଲା, ଗୋଟାଏ ଲମ୍ବା ନିଶ୍ଵାସ ଛାଡ଼ି ଆସ୍ତେ ଆସ୍ତେ ବସିପଡ଼ି କହିଲା—ଏ କଥା ତୁମେ ଆଜି ନୂଆ କହୁଛ ଭାଉଜ, ଆଉଦିନେ ବି ଏମିତି କହୁଥିଲ । ସେଦିନ ବୁଝିପାରିନଥିଲି, କି ଆଜି ବି ବୁଝି ପାରୁନାହିଁ । ତୁମ ନଜରରେ ମୋ ଭାଇ ସତେ କଣ ଏତେ ତଳକୁ ଚାଲିଯାଇଛି ! କଣ ଯେ କହୁଛ, ତା ତୁମେ କେବଳ ଜାଣ । ଅନେକ ବହି ପଢ଼ିଛ, ଅନେକ ଖବର ଜାଣିଛ—ତୁମ ସାଙ୍ଗରେ ଯୁକ୍ତିତର୍କ କରି ମୁଁ ପାରିବି ନାହିଁ ଜାଣେ । ତେବେ, ମୋର ଦୃଢ଼ ବିଶ୍ଵାସ ଯେ, ସ୍ଵାମୀ ନ୍ୟାୟ ଅନ୍ୟାୟ ଯାହା କିଛି କରୁ; ତା’ ର ସ୍ନେହ-ସୋହାଗକୁ ଅସ୍ୱୀକାର କରିବା ସ୍ପର୍ଦ୍ଧା କୌଣସି ଦେଶର ସ୍ତ୍ରୀର ନାହିଁ । ମୋର ତ ମନେହୁଏ ସ୍ଵାମୀର ସ୍ନେହସୋହାଗକୁ ଆଗ୍ରହ୍ୟ କରି ବଞ୍ଚିରହିବା ଅପେକ୍ଷା ମରିଯିବା ବରଂ ଭଲ ।

 

ମୁଁ କିନ୍ତୁ ସେକଥା ମାନିନେଇ ପାରିବିନି ବିମଳା ।

 

ତୁମେ ମାନିବନି କିଏ କହିଲା, ନିଶ୍ଚୟ ମାନିବ । କହି ବିମଳା ହସି ପକାଇଲା । ତା’ ର ମନେହେଲା, ଏ ସବୁ ଯେପରି କେବଳ ପରିହାସ । ପରିହାସ ନହେଲେ ନାରୀର ମୁହଁରେ ଏ ଆଉ କଣ ବା ହୋଇପାରେ ! କହିଲା—କିନ୍ତୁ କହିରଖିଛି ଭାଉଜ, ମୋ ଆଗରେ ମୁହଁକୁ ଯାହା ଆସୁଛି କହି ଯାଉଛି ସିନା, ଭାଇଙ୍କ ଆଗରେ କିନ୍ତୁ ଏସବୁ ଚାଲାକି ପଟିବ ନାହିଁ । କାହିଁକ ଜାଣ ? ପୁରୁଷ ଲୋକ ଯେତେ ବୁଦ୍ଧିମାନ ହୁଅନ୍ତୁ ନା କାହିଁକି ଅନେକ...

 

କଣ, ଅନେକ ସମୟରେ ?

 

ଥଟ୍ଟାଟାକୁ ହଠାତ ଧରି ପାରନ୍ତି ନାହିଁ ।

 

ସେଇଟା ତାଙ୍କର କାମ । ମୁଁ ସେଇଥି ପାଇଁ ଦୁର୍ଭାବନାକୁ ମାଳକରି ବୁଲିବି କାହିଁକି ?

 

କିନ୍ତୁ, ମୋର ଭାବନା କଥା କହିଲେ ନ ସରେ ଭାଉଜ ।

 

ଇନ୍ଦୁ ଅନିଚ୍ଛାସତ୍ତ୍ୱେ ହସିଉଠି କହିଲା—କାହିଁକି ଶୁଣେ ?

 

ବିମଳା ଟିକଏ ଭାବି କହିଲା—ରାଗିବନି ଭାଉଜ, ତୁମେ ଯାହା କହନା ପଛେ, ମୁଁ ବେଶ ଠଉରେଇ ପାରିଛି, ସେଇ ଦେହ-ଦୁଃଖବେଳେ ଭାଇ ତୁମକୁ ମନେ ମନେ ଭାରି ଖୋଜୁ ଥାଆନ୍ତି । ଦିନେ ତ ତୁମକୁ ଦେଖିବା ପାଇଁ ପାଗଳହୋଇ ଉଠିଥିଲେ । କଥାରେ ଅଛି ପରା, ଜଣକର ପାଦରେ କଣ୍ଟା ବୁଡ଼ିଲେ ଆଉ ଜଣକର ଛାତିରେ ଯାଇ ବାଜେ—ଏଇଟା ମୁଁ ଆଉ ବୁଝିନି ନା !

 

ହଠାତ୍‌ ଇନ୍ଦୁର ମୁହଁଟା ଫିକା ପଡ଼ିଗଲା, ସତେ ଯେମିତି କିଏ କାଳି ମେଞ୍ଚାଏ ତା ମୁହଁରେ ବୋଳି ଦେଲା । ତା’ ପରେ ଶୁଖିଲା ହସ ହସି କହିଲା—ତୁମକୁ ବହୁତ ଧନ୍ୟବାଦ ବିମଳା-! ଭାଇଙ୍କୁ ତମର କହିଦେବ, ମୁଁ କିନ୍ତୁ ଭ୍ରୂକ୍ଷେପ କରେନି । ଆଉ ତୁମେ ବି ମନେରଖ, ନିଜର ଭଲ ମନ୍ଦ ବୁଝିବା ପାଇଁ ମୋର ଯଥେଷ୍ଟ କ୍ଷମତା ଅଛି, ଅନ୍ୟ ଉପରେ ନିର୍ଭର କରିବାକୁ ମୋତେ ପଡ଼ିବନି । ଅନ୍ୟମାନେ ଏଥିପାଇଁ ମିଛରେ ମୁଣ୍ଡ ଖେଳେଇବା ଆଦୌ ଦରକାର ନାହିଁ ।

 

ଘରକୁ ଫେରିଆସି ଇନ୍ଦୁ ନରେନ୍ଦ୍ରର ଘର ଭିତରକୁ ପଶିଯାଇ ପଚାରିଲା—ମୁଁ ମେଦିନୀପୁରରେ ଥିଲାବେଳେ ତମର ବାନ୍ତି ହେଉଥିଲା ?

 

ନରେନ୍ଦ୍ର ଖାତା ଉପରୁ ମୁହଁ ଉଠାଇ ଇନ୍ଦୁକୁ ଚାହିଁ ଧୀରେ ଧୀରେ କହିଲା—ନା, ବାନ୍ତି ନୁହେଁ, ଛାତିର ସେଇ ପୁରୁଣା ବଥାଟା ବାହାରି ପଡ଼ିଥିଲା ।

 

ଖରଚ ଭୟରେ ଯାଇ ବିମଳା ଘରଠି ପଡ଼ିଥିଲା ନା ?

 

ସ୍ତ୍ରୀର ଏ କର୍କଶ ବାକ୍ୟରେ ନରେନ୍ଦ୍ର ମର୍ମାହତ ହୋଇପଡ଼ିଲା । ଟେବୁଲର ଖାତା ଉପରେ ପୁଣି ଝୁଙ୍କିପଡ଼ି କିଛିକ୍ଷଣ ମୌନ ରହି ଆସ୍ତେ ଆସ୍ତେ କହିଲା—ମୁଁ ମନକୁ ଯାଇ ନ ଥିଲି, ବିମଳା ନିଜେ ଆସି ଜୋର ଜବରଦସ୍ତି କରି ନେଇ ଯାଇଥିଲା ।

 

କିନ୍ତୁ ମୁଁ ହେଇଥିଲେ ଯାଇ ନଥାନ୍ତି । ଯେଉଁମାନେ ଅକ୍ଷମ, ଅପାରଗ ତାଙ୍କ ପାଇଁ ହସପିଟା୍‌ଲ ଖୋଲା ଯାଇଛି । ପର ମୁଣ୍ଡରେ ବୋଝ ନ ହେଇ ସେଇଠାକୁ ସେମାନଙ୍କର ଚାଲିଯିବା ଉଚିତ ।

 

ନରେନ୍ଦ୍ର ଆଉ ମୁଣ୍ଡ ଟେକିଲା ନାହିଁ କିଛି କି ପଦେହେଲେ କିଛି କହିଲା ନାହିଁ ।

 

 

ଇନ୍ଦୁ କିଛିକ୍ଷଣ ଠିଆ ହୋଇ ରହି ଦୁମ୍‌ଦୁମ୍‌ ହେଇ ପର୍ଦ୍ଦା ଆଡ଼େଇ ଘରୁ ବାହାରି ଚାଲିଗଲା । ତା ଧକ୍‌କା ବାଜି ଗୋଟାଏ ଛୋଟ ଫୁଲାଦାନୀ ଫୁଲ ସହିତ ଓଲଟି ପଡ଼ିଲା, କିନ୍ତୁ ସେ ଆଡ଼କୁ ମୁହଁ ବୁଲାଇ ଚାହିଁଲା ନାହିଁ ।

 

ଚାରି ପାଞ୍ଚ ମିନିଟ୍‌ ପରେ ପୁଣି ସେମିତି ଦୁମ୍‌ଦୁମ୍‌ ହେଇ ପର୍ଦ୍ଦା ଆଡ଼େଇ ଘର ଭିତରକୁ ପଶି ଆସି ପଚାରିଲା—ବିମଳା ତ ମୋ ପାଖକୁ ଖବର ପଠାଇବାକୁ କହୁଥିଲେ, ତୁମେ ମନାକଲ କାହିଁକି ? ବୋଧହୁଏ ଭାବିଲ ମୁଁ ଆସି ଔଷଧ ସାଥିରେ ବିଷ ମିଶେଇ ଦେଇ ଥାଆନ୍ତି !

 

ନରେନ୍ଦ୍ର ସେମିତ ତଳକୁ ମୁହଁ ପୋତି ଜବାବ ଦେଲା—ନା, ସେ କଥା ମୁଁ ଆଦୌ ଭାବିନି । ତୁମ ଦେହ ଭଲ ନ ଥିଲା, ସେଇଥିପାଇଁ—

 

କିଏ କହିଲା, ମୋ ଦେହ ଭଲ ନ ଥିଲା ? ଅବଶ୍ୟ ଏଇଟା ସତ ଯେ, ଖବର ପାଇଥିଲେ ବି ମୁଁ ଆସି ନଥାନ୍ତି । କିନ୍ତୁ ସେଠି ମୁଁ ରୋଗରେ ମରିଯାଉଥିଲି ଏ କଥା ତ ତୁମ ପାଖକୁ ମୁଁ ଲେଖି ନ ଥିଲି ? ମିଛ କଥା ଗୁଡ଼ାଏ କହି ତୁମେ ବିମଳାକୁ ମନା କଲ କାହିଁକି ଶୁଣେ ? କହି, ସେ ଯେମିତ ଭାବରେ ଆସିଲା, ଠିକ୍‌ ସେମିତି ଭାବରେ ଚାଲିଗଲା ।

 

ନରେନ୍ଦ୍ର ବି ମୁହଁଚାହିଁ ଟେକିଲା ନାହିଁ; ସେମିତି ମୁହଁପୋତି ବସି ରହିଲା । କିନ୍ତୁ ତା’ ଆଖିକୁ ଲେଖା ଅଲେଖା ସବୁ ଯେମିତି ଏକାକାର ଦେଖାଯାଉଥିଲା ।

 

ଇନ୍ଦୁ ଡାକ୍ତରଙ୍କ ଘରର ପର୍ଦ୍ଦା ଆଡ଼େଇ ଭିତରକୁ ପଶିଆସି ପଚାରିଲା—ଆପଣ ଗଗନ ବାବୁଙ୍କ ଘରଠି ମୋ ସ୍ଵାମୀଙ୍କର ଚିକିତ୍ସା କରୁଥିଲେ ?

 

ବୁଢ଼ା ଡାକ୍ତର ମୁହଁ ଟେକି ଇନ୍ଦୁର ଉଦବେଗ-ମଳିନ ମୁହଁକୁ ଚାହିଁ ରହିଲେ—ହଁ କରୁଥିଲି, କ’ଣ ହେଲା ?

 

ଇନ୍ଦୁ ଆସ୍ତେ ଆସ୍ତେ କହିଲା—କିନ୍ତୁ ମୋର ଯାହା ମନେହୁଏ, ସେ ସଂପୂର୍ଣ୍ଣ ଆରୋଗ୍ୟ ହେଇ ନାହାନ୍ତି । ଏଇ, ଆପଣଙ୍କର ଫିସ୍‌ ଟଙ୍କା—ଦୟାକରି ଆଜି ଟିକିଏ ଯାଇ ଆଉ ଥରେ ଯେବେ ତାଙ୍କୁ ଦେଖି ଆସନ୍ତେ, ବଡ଼ ଉପକୃତ ହୁଅନ୍ତି ।

 

ଡାକ୍ତର ବାବୁ ବିସ୍ମିତ ହୋଇ ତା ମୁହଁକୁ ଚାହିଁ ରହିଲେ । ଇନ୍ଦୁ ବୁଝାଇ ଦେଇ କହିଲା—ତାଙ୍କର ଏମିତି ସ୍ଵଭାବ ଯେ ଟଙ୍କା ଖର୍ଚ୍ଚ ଭୟରେ ନିଜର ଚିକିତ୍ସା କରିବାକୁ ବି ଚାହାନ୍ତି ନାହିଁ । ଔଷଧର ପ୍ରେସକ୍ରିପ୍‌ସନ୍‌ଟା ମୋତେ ଲୁଚେଇକରି ଦେବେ । ତାଙ୍କୁ ବି ଟିକିଏ ବୁଝେଇ ସୁଝେଇ କହିବେ ।

 

ଡାକ୍ତର ରାଜି ହୋଇ ତାକୁ ବିଦାୟ ଦେଲେ ।

 

ଇନ୍ଦୁ ଘରକୁ ଫେରି ଆସିବାର କିଛି ସମୟ ପରେ ଚାକର ରାମଟହଲ ଆସି କହିଲା—ମା, ବଲ୍ଲଭ ଜହୁରୀ ଆସିଛି ।

 

ଆସିଛି ? ତାକୁ ଏଠିକି ଡାକି ଆଣ ।

 

ମା, ମତେ ଡକାଇ ପଠାଇଥିଲ ?

 

ହଁ ବଲ୍ଲଭ, ଗୋଟିଏ ଜରୁରୀ କାମରେ ତୁମକୁ ଡକାଇ ପଠାଇଥିଲି । ତୁମେ ତ ଆମର ବିଶ୍ଵାସୀ ଲୋକ—ଏଇ କେତେ ପଟ ଚୁଡ଼ି ବିକ୍ରି କରେଇ ଦେଇ ପାରିବ ? ଏ ଗୁଡ଼ାକ ପୁରୁଣା ଧରଣର ଚୁଡ଼ି, ଆଉ ପିନ୍ଧିବାକୁ ଭଲ ଲାଗୁନି । ଭାବିଛି ୟାକୁ ବିକି ଆଉ ହଳେ ନୂଆ କରିବି ।

 

ହଉ ମା, ବିକ୍ରି କରିଦେବି ।

 

ଓଜନ କରିବା ପାଇଁ କିଛି ଆଣିଛ ? କେତେ ଓଜନ ଅଛି ଆଗେ ଦେଖିଲ ? ଦାମଟା କିନ୍ତୁ ମୋତେ କାଲି ଦେବାକୁ ପଡ଼ିବ । ଡେରି ହେଲେ ଚଳିବ ନାହିଁ ।

 

ହଉ ମା ।

 

ହାତରେ ଚୁଡ଼ି ଧରି ବଲ୍ଲଭ କହିଲା—ଏତ ଏକାବେଳକେ ନୂଆ ଜିନିଷ ମା ! ବିକିଲେ କିଣା ଦାମ ମିଳିବ ନାହିଁ । କିଛି ଲୋକସାନ୍‌ ହେବ ।

 

ହେଉପଛେ, ମୁଁ ୟାକୁ ବିକି ଦେବାକୁ ଚାହେଁ । ଏ ଗଢ଼ଣଟା ମୋ ମନକୁ ଆଦୌ ପାଉନି । ହଁ ଶୁଣ, ଏ କଥା ବାବୁଙ୍କ କାନକୁ ଯେମିତି ନ ଯାଏ ।

 

ବାବୁମାନଙ୍କ ଅଜଣାରେ ଜିନିଷ କିଣା ବିକା କଥା ବଲ୍ଲଭ ପକ୍ଷରେ ନୂଆ ନୁହେଁ । ଟିକିଏ ମୁରୁକେଇ ହସି ସେ ଚୁଡ଼ି ଧରି ଚାଲିଗଲା ।

 

ଛଅ

 

ଏତେଦିନ ହେଲା ତ ଔଷଧ ଖାଇଲେଣି, କାଇଁ ଏପର୍ଯ୍ୟନ୍ତତ ଛାତିର ବଥାଟା ଭଲ ହେଲାନି ଡାକ୍ତରବାବୁ ?

ଭଲ ହେଇନି ! ସେ ତ ମୋତେ କାହିଁ କିଛି କହିନାହାନ୍ତି ?

 

ସେମିତି ସ୍ଵଭାବ ତାଙ୍କର । ମୁଁ ଯାହା ଜାଣିପାରୁଛି, ତାଙ୍କର ସେ ବଥା ଭଲହେଇନି । ତା ଛଡ଼ା, ଦେହଟା ବି ତାଙ୍କର ବେଳୁବେଳ କେମିତି କାଇଲା ଦେଖାଯାଉଛି ?

 

ଡାକ୍ତର ଟିକିଏ ଚିନ୍ତାକରି କହିଲେ—ଦେଖନ୍ତୁ, ମୋର ବି ସନ୍ଦେହ ହେଉଛି, ଔଷଧ ଖାଇଲେ କିଛି ଲାଭ ନାହିଁ । ଜଳବାୟୁ ପରିବର୍ତ୍ତନ ଦରକାର ।

 

ତାଙ୍କୁ କାହିଁକି ସେଇ କଥା କହୁ ନାହାନ୍ତି ?

 

ଦିନେ ତାଙ୍କୁ ମଧ୍ୟ କହିଥିଲି । ସେ କିନ୍ତୁ ସେଥିପାଇଁ ଆଗ୍ରହୀ ଥିଲା ପରି ଜଣାପଡ଼ିଲେନି-

 

ଇନ୍ଦୁ ସାମାନ୍ୟ ରୁଷ୍ଟ ହୋଇ କହି ପକାଇଲା—ସେ ଯାହା କହିବେ କଣ ସେୟା ହେବ-? ଆପଣ ଡାକ୍ତର, ଆପଣ ଯାହା କହିବେ ତା ତ ପୁଣି ହେବା ଦରକାର ।

 

ବୃଦ୍ଧ ଚିକିତ୍ସକ ସାମାନ୍ୟ ହସିଲେ ।

 

ଇନ୍ଦୁ ନିଜର ଉତ୍ତେଜନାରେ ଲଜ୍ଜିତ ହୋଇ କହିଲା—ଦେଖନ୍ତୁ, ମୁଁ ବଡ଼ ବ୍ୟାକୁଳ ହେଇ ପଡ଼ିଛି । ଆପଣ ଦୟାକରି ତାଙ୍କୁ ଟିକିଏ ଭୟ ଦେଖେଇ ଦିଅନ୍ତୁ ।

 

ଡାକ୍ତର ମୁଣ୍ଡ ହଲାଇ ସମ୍ମତି ଜଣାଇ କହିଲେ—ଭୟ ଦେଖେଇବି କଣ, ଏସବୁ ରୋଗରେ ତ ପ୍ରାୟ ଭୟ କରିବାର କଥା !

 

ଇନ୍ଦୁର ମୁହଁ ସାଙ୍ଗେ ସାଙ୍ଗେ ଫିକା ପଡ଼ିଗଲା । କହିଲା—ସତରେ ଭୟ ଅଛି ।

 

ତା ମୁହଁକୁ ଚାହିଁ ଡାକ୍ତର ହଠାତ୍‌ ଜବାବ ଦେଇ ପାରିଲେ ନାହିଁ ।

 

ଇନ୍ଦୁର ଆଖିରେ ଲୁହ ଢଳଢଳ ହୋଇ ଉଠିଲା । କହିଲା—ଡାକ୍ତରବାବୁ, ମୁଁ ଆପଣଙ୍କର ଝିଅଭଳି, ମତେ ଲୁଚାନ୍ତୁ ନାହିଁ, କଣ ହେଇଚି ଖୋଲିକରି କହନ୍ତୁ ।

 

ଠିକ୍‌ ଯେ କଣ ହେଇଥିଲା ଡାକ୍ତର ନିଜେ ବି ଜାଣିପାରୁ ନଥିଲେ । ସେ ଏଣୁ ତେଣୁ ଯାହାସବୁ କହିଲେ ସେଥିରେ ଇନ୍ଦୁର ଭୟ ଦୂର ହେଲାନି । ସେ ଘରକୁ ଫେରି ଆସି ବିଛଣାରେ ମୁହଁମାଡ଼ି ପଡ଼ି କାନ୍ଧିବାକୁ ଲାଗିଲା ।

 

ଉପରଓଳି ନରେନ୍ଦ୍ର ଖୋଲାଝରକା ପାଖରେ ବସି ଆକାଶ ଆଡ଼କୁ ଚାହିଁ କଣ ଭାବୁଥିଲା । ଏଇ ସମୟରେ ଇନ୍ଦୁ ଘର ଭିତରକୁ ପଶିଆସି ଗୋଟାଏ ଚୌକି ଟାଣିଆଣି ତା ପାଖରେ ବସିଲା । ନରେନ୍ଦ୍ର ମୁହଁ ବୁଲାଇ ଥରକ ପାଇଁ ତା ଆଡ଼କୁ ଚାହିଁ ଦେଇ ପୁଣି ଆକାଶ ଆଡ଼କୁ ଚାହିଁ ରହିଲା ।

 

ଏଇ କେତେଦିନ ହେଲା ଇନ୍ଦୁ ତାକୁ କିଛି ଟଙ୍କା ପଇସା ମାଗି ନଥିଲା । ଆଜି ସେ ଯେ କାହିଁକି ଆସି ବସିଛି ତା ନିଶ୍ଚିତ ଭାବରେ ଅନୁମାନ କରିନେଇ ନରେନ୍ଦ୍ରର ଛାତି ଭିତରଟା ଧଡ଼ଧଡ଼ ହେବାକୁ ଲାଗିଲା ।

 

ଇନ୍ଦୁ କିନ୍ତୁ ଟଙ୍କା ମାଗି ଆସିନଥିଲା । କିଛିକ୍ଷଣ ନୀରବରେ ବସି ଆସ୍ତେ ଆସ୍ତେ କହିଲା–ଶୁଣ, ଡାକ୍ତରବାବୁ କହିଲେ, ରୋଗ ଯେତେବେଳେ ଔଷଧରେ ଭଲ ନହେଉଛି, ଜଳବାୟୁ ପରିବର୍ତ୍ତନ ଦରକାର । ଚାଲ, କେଉଁଆଡ଼େ ଯାଇ ଘେରାଏ ବୁଲି ଆସିବା ।

 

ଏଥର ନରେନ୍ଦ୍ର ପ୍ରକୃତରେ ଚମକି ଉଠିଲା । ତା’ ର ମନେହେଲା, ବହୁଦିନ ହେଲା ହଜିଯାଇଥିବା ସ୍ନେହ-ଧନର ଯେପରି ସେ ଆଜି ସନ୍ଧାନ ପାଇପାରିଛି । ଇନ୍ଦୁର ଏଇ କଣ୍ଠସ୍ଵର ବହୁଦିନ ହେଲା ଶୁଣିବାକୁ ନପାଇ ତାକୁ ଏକ ପ୍ରକାର ଭୁଲି ଯାଇଥିଲା । ମୁହଁ ବୁଲାଇ ସେ ଇନ୍ଦୁ ମୁହଁକୁ ଚାହିଁ ରହିଲା, ସତେ ଯେପରି ସେ ମନେ ମନେ କିଛି ଖୋଜି ବୁଲୁ ଥିଲା ।

 

ଇନ୍ଦୁ ପୁଣି ପଚାରିଲା—କଣ କହୁଛ ? ତେବେ ମୁଁ ଯାଉଛି ଜିନଷ ପତ୍ର ସଜ କରିବି । କାଲି ବାହାରି ପଡ଼ିବା, ଆମର ବେଶିଦୂର ଯିବା ଦରକାର ନାହିଁ, ଏଇ ବୈଦ୍ୟନାଥଙ୍କଠି କିଛିଦିନ ରହି ଫେରି ଆସିବା । ଆମେ ଦି ଜଣ, କମଳା ଆଉ ଚାକରାଣୀ—ବେଶ୍‌ ଏତିକି, ବେଶିଲୋକ ବା କାହିଁକି ଯିବା । ରାମଟହଲତ ଆମର ପୁରୁଣା ବିଶ୍ଵାସୀ ଲୋକ, ସେ ଘର ଜଗି ରହିବ । ସେଠୁ ଗୋଟାଏ ଛୋଟ ଘରଭଡ଼ା ନେଲେ ଆମର ଚଳିଯିବ । ଆଜିଠୁ ଜିନିଷପତ୍ର ସଜାଡ଼ିନେବା ଭଲ, ଯିବାବେଳେ ଆଉ ଝିଞ୍ଜଟ ହେବାକୁ ପଡ଼ିବ ନାହିଁ ।

 

କୌଣସି ପ୍ରକାର ଖର୍ଚ୍ଚକଥା ଉଠିଲେ ନରେନ୍ଦ୍ରର ଛାତି ଭିତର ଥରି ଉଠୁଥିଲା । ଗୋଟାଏ ବଡ଼ ଧରଣର ଖର୍ଚ୍ଚର ବ୍ୟବସ୍ଥା ଦେଖି ତା ମୁଣ୍ଡ ଏକାବେଳକେ ବିଗିଡ଼ିଗଲା । କହିଲା—ସେ ଡାକ୍ତରକୁ ଡାକିବାକୁ ତମକୁ କିଏ କହିଲା ?

 

ଇନ୍ଦୁ ଜବାବ ଦେବା ପୂର୍ବରୁ, ସେ ପୁଣି କହିଲା—ବିମଳାକୁ କହିଦିଅ, ମୋ ପଛରେ ଅନବରତ ଏମିତି ଡାକ୍ତର ଲଗେଇ ମତେ ମିଛରେ ଏମିତି ବିରକ୍ତ କରିବା ଆବଶ୍ୟକ ନାହିଁ । ମୁଁ ବେଶ୍‌ ଭଲଅଛି ।

 

ଇନ୍ଦୁ ମନେ ମନେ ଆଘାତପାଇ ଭାବିଲା—ଯାହାକିଛି ହେଉଛି ସବୁ କଣ ବିମଳା ଯୋଗୁ, କିନ୍ତୁ ମନରଭାବ ଚାପି ଦେଇ କହିଲା—ତୁମେ ତ ପ୍ରକୃତରେ ଭଲ ହେଇନ, ବଥାଟା ପ୍ରାୟ ସେମିତି ଅଛି ।

 

କିଏ କହିଲା ? ମୋର ଦେହ ପୂରା ଭଲ ହେଇଗଲାଣି । ତା’ହେଲେ ତମ ଦେହ ଏମିତି ଦିନକୁ ଦିନ ଦୁର୍ବଳ ହେଇ ପଡ଼ୁଛି କାହିଁକି ? ମତେ ଭୁଲେଇବାକୁ ସେମିତି କହୁଛ । ହେଉ ଏବେ, ତମ ଦେହ ଭଲଅଛି, କୁଆଡ଼େ ଯାଇ ଘେରାଏ ବୁଲି ଆସିଲେ କ୍ଷତି ତ କିଛି ହେଇ ଯିବନି-?

 

ନରେନ୍ଦ୍ର ଏମିତି ଅବସ୍ଥାରେ ଆସି ପହଞ୍ଚିଥିଲା, ଆଉ ସହ୍ୟ କରିବା ପାଇଁ ଯେପରି ତା’ ର ଧୈର୍ଯ୍ୟ ନଥିଲା । ତଥାପି, କୌଣସି ପ୍ରକାରେ ନିଜକୁ ସମ୍ଭାଳି ନେଇ କହିଲା—କୁଆଡ଼େ ଯାଇ ବୁଲାବୁଲି କରିବା ପାଇଁ ମୋ’ଠି ଆଉ ବଳ ନାହିଁ । ମତେ ଆଉ ବେଶି ବଳାନା ଇନ୍ଦୁ ।

 

ଇନ୍ଦୁ କିନ୍ତୁ ଜିଦ୍‌ ଧରି କହିଲା—ସେ କଥା ହେବନି, ପ୍ରାଣଟା ତ ଫେର୍‍ ବଞ୍ଚି ରହିବା ଦରକାର ।

 

ଏଇ ଜିଦ୍‌ଟା ଇନ୍ଦୁ ପକ୍ଷରେ ଏତେ ନୂଆ ଯେ, ନରେନ୍ଦ୍ର ସାଙ୍ଗେ ସାଙ୍ଗେ ଭୁଲ କରି ବସିଲା । ତାର ମନେହେଲା, ତାକୁ କ୍ଳେଶ ଦେବା ଉଦ୍ଦେଶ୍ୟର ହିଁ ଇନ୍ଦୁ ଆଉ ଗୋଟାଏ ନୂଆ କୌଶଳର ସୂତ୍ରପାତ କରୁଛି । ଏତେ ଦିନର ଧୈର୍ଯ୍ୟର ବନ୍ଧ ତା’ର ନିମିଷକ ମଧ୍ୟରେ ଭାଙ୍ଗିଗଲା । ପାଟିକରି ଉଠି କହିଲା—କିଏ କହିଲା ତମକୁ, ମୋ ପ୍ରାଣ ବଞ୍ଚିବା ଦରକାର ବୋଲି ? ତୁମ ଗୋଡ଼ତଳେ ପଡ଼ୁଛି ଇନ୍ଦୁ, ମୋତେ ଶାନ୍ତିରେ ଟିକିଏ ନିଃଶ୍ୱାସ ମାରିବାକୁ ଦିଅ । ମୋତେ ଆଉ ଜାଳି ପୋଡ଼ି ମାରନା ।

 

ସ୍ଵାମୀ ମୁହଁରୁ ଏକଥା ଶୁଣିବ ବୋଲି ଇନ୍ଦୁ କଳ୍ପନାରେ ସୁଦ୍ଧା ଭାବିନଥିଲା । ସେ ଯେପରି ଲାଜରେ ଜଡ଼ସଡ଼ ହୋଇଗଲା । କିନ୍ତୁ ନରେନ୍ଦ୍ର ତା ଠଉରାଇ ପାରିଲା ନାହିଁ, କହିଲା—ତୁମେ ଭଲଭାବରେ ଜାଣ ମୁଁ ଆଜି କାଲି କେମିତି ସଙ୍କଟ ଭିତର ଦେଇ ଦିନ କାଟୁଛି । ସବୁ ଜାଣିଶୁଣି ମତେ କଷ୍ଟ ଦେବା ଉଦ୍ଦେଶ୍ୟରେ ଦିନରାତି ଏମିତି ଖେଞ୍ଚାମାରୁଛ କାହିଁକି କହିଲ ? ମୁଁ ତମ ପାଖରେ ବା କି ଦୋଷ କରିଛି । କଣ ତମ ଇଚ୍ଛା ?

 

ଇନ୍ଦୁ କିଛି ଭାବି ପାରିଲା ନାହିଁ, ଭୟରେ ଶିହରି ଉଠି କାବା ହେଇ ନରେନ୍ଦ୍ରର ମୁହଁକୁ ଚାହିଁ ରହିଲା । ପଦେ ହେଲେ କଥା ବି ତା ମୁହଁରୁ ବାହାରିଲା ନାହିଁ ।

 

ଏ ପ୍ରକାର ଉତ୍ତେଜନା ନରେନ୍ଦ୍ର ପକ୍ଷରେ ସମ୍ପୂର୍ଣ୍ଣ ନୂଆ ଏବଂ ଅସ୍ଵାଭାବିକ ମଧ୍ୟ । ସେ ନିଜେ ମଧ୍ୟ ତା ହୃଦୟଙ୍ଗମ କରିପାରି ମନେ ମନେ ଅତ୍ୟନ୍ତ ଲଜ୍ଜିତ ହୋଇ ପଡ଼ିଲା, କଣ୍ଠସ୍ଵର ନରମ କରି କହିଲା—ବେଶ୍‌ ମୁଁ ସ୍ଵୀକାର କରୁଛି ଯେ ମୋ ପକ୍ଷରେ ଜଳବାୟୁ ପରିବର୍ତ୍ତନ ନିତାନ୍ତ ଦରକାର, କିନ୍ତୁ କେମିତି ଯିବା କହିଲ ? ଏତେ ଟଙ୍କା ବା ହଠାତ୍‌ ପାଇବି କୋଉଠୁ ? ଯିଏ ନିଜର ଘର ଚଳାଇବାକୁ ଟଙ୍କା ପାଇଁ ଧନ୍ଦି ହେଉଛି, ତା ପକ୍ଷରେ ଏତେ ଟଙ୍କା ପାଇବା କଣ କେବେ ସମ୍ଭବ ହେଇ ପାରେ !

 

ଧୈର୍ଯ୍ୟ କଣ, ତା ଇନ୍ଦୁ କେବେ ଜାଣିନି । ଏମିତି ନତମସ୍ତକରେ ନରେନ୍ଦ୍ରର କଥା ସହି ଯିବାଟା ତା ପକ୍ଷରେ ମୁଣ୍ଡ କାଟି ଦେଲା ଭଳି । କିନ୍ତୁ ଆଜି ସେ ମନେ ମନେ ଏମିତି ଭୟଭୀତ ହୋଇ ପଡ଼ିଥିଲା ଯେ ମୁହଁ ଖୋଲିବା ପାଇଁ ତା’ ର ସାହସ ହେଉନଥିଲା । ନମ୍ର ସ୍ଵରରେ କହିଲା–ନଗଦ ଟଙ୍କା ନାହିଁ ସତ, ହେଲେ ମୋର ତ ଅନେକ ଗୁଡ଼ାଏ ଗହଣାଗାଣ୍ଠି ଅଛି—

 

ଅଛି, କିନ୍ତୁ ମୋର ନୁହେଁ, ସେ ସବୁ ତମର । ତୁମ ବାପା ତୁମକୁ ଦେଇଛନ୍ତି । ସେଥିରେ ମୋର କି ଅଧିକାର ଅଛି ? ଏକଥା ମୋ ଅପେକ୍ଷା ତୁମକୁ ତ ଖୁବ୍‌ ଭଲ ଭାବରେ ଜଣା ।

 

ହେଲା ଏବେ, ତୁମେ ସେ ଗହଣା ନ ନିଅ । ମୁଁ ତୁମକୁ ନଗଦ ଟଙ୍କା ଦେବି ।

 

ନଗଦ ଟଙ୍କା ! ପାଇଲ କୋଉଠୁ ? ଘର ଖରଚରୁ ବଳେଇ ରଖିଥିଲ ନା କଣ ?

 

ଏ ଚୁଡ଼ି ବିକ୍ରି ଟଙ୍କା । ଇନ୍ଦୁ ସହଜେ ମିଥ୍ୟା କହେନା । ଅନ୍ୟ ଦିନ ହେଇଥିଲେ ହୁଏତ ସେ ଅପମାନ ବୋଧ କରିଥାଆନ୍ତା । କିନ୍ତୁ, ଆଜି ସେ ଜାଣି ଶୁଣି ମିଛ କହିଲା । ଇନ୍ଦୁ କଥା ଶୁଣି ନରେନ୍ଦ୍ର ମୁହଁର ଭାବ କଠିଣ ଏବଂ ଭୟାନକ ହୋଇ ଉଠିଲା । ଧୀରେ ଧୀରେ କହିଲା—ତା ହେଲେ ସେ ଟଙ୍କା ରଖି ଦେଇ ଥାଅ, ନୂଆ ଗହଣା ଗଢ଼େଇବ । ମୋ ଦେହର ରକ୍ତକୁ ପାଣି ଫଟେଇ ଯାହା ଜମା ହେଇଛି, ତାକୁ ମୁଁ ଏମିତି ଭାବରେ ଅପବ୍ୟୟ କରିଦେବାକୁ ଚାହେଁନା । ତୁମକୁ କେଉଁଦିନ ହେଲେ କଟୁ କଥା କହିନି ଇନ୍ଦୁ, ସବୁ ଦିନ କେବଳ ଶୁଣି ଆସିଛି । ଆଜି କିନ୍ତୁ କହିବାବୁ ବାଧ୍ୟ ହେଉଛି । ସେ ଦିନ ତୁମେ ଦମ୍ଭକରି କହୁଥିଲ ନା, ତୁମେ କେବେ ମିଛ କଥା କହନି-? ଛି ଆଜି କେମିତି ସେଇ ମୁହଁରେ—

 

ଏତିକିବେଳେ ବିମଳା ହଠାତ୍‌ ପର୍ଦ୍ଦା ଆଡ଼େଇ ଘର ଭିତରକୁ ପଶି ଆସି କହିଲା—ମା ପିଇସୀ ଆସିଛନ୍ତି ।

 

ପଛେ ପଛେ ବିମଳା ବି ଘର ଭିତରେ ପଶି ପଚାରିଲା—କଣ କରୁଛ ଭାଉଜ ?

 

ଇନ୍ଦୁ ଝିଅକୁ ଟାଣିଆଣି ତା ବେକରୁ ହାରଟାକୁ ଦି ହାତରେ ଛିଣ୍ଡାଇ ସ୍ଵାମୀର ସାମନାକୁ ଫୋପାଡ଼ି ଦେଇ କହିଲା—ମୁଁ ମିଛ କହିବା ଜାଣେନି, ଏବେ ତା ତୁମରି ପାଖରୁ ଶିଖିଛି । ପିତଳକୁ ସୁନା ବୋଲି କହିବାକୁ ମୁଁ କେବେ ଶିଖିନି । ଯିଏ ନିଜ ସ୍ତ୍ରୀ କୁ ଠକିଛି, ନିଜର ଝିଅକୁ ଠକିଛି, ତାର ଆଉ ବାକି କଣ ଅଛି ? ସିଏ ବା କେଉଁ ମୁହଁରେ ଅନ୍ୟକୁ ମିଥ୍ୟାବାଦୀ ବୋଲି କହିବାକୁ ସାହାସ କରେ କେଜାଣି ?

 

ନରେନ୍ଦ୍ର ଛିଣ୍ଡା ହାରଟାକୁ ଉଠାଇ ନେଇ ଆଶ୍ଚର୍ଯ୍ୟ ହେଇ ଇନ୍ଦୁ ମୁହଁକୁ ଚାହିଁ ପଚାରିଲା–ଏଇଟା ପିତଳ ବୋଲି ତମକୁ କିଏ କହିଲା ଇନ୍ଦୁ ? କୋଉଠି କେବେ ପରୀକ୍ଷା କରିଛ ?

 

ତୁମ ଭଉଣୀକୁ ପରୀକ୍ଷା କରି ଦେଖିବାକୁ କହ । କହି, ଦି ଆଖି ରଙ୍ଗା କରି ବିମଳା ଆଡ଼କୁ ଚାହିଁଲା ।

 

ବିମଳା ଦି ପାଦ ପଛକୁ ଘୁଞ୍ଚିଯାଇ କହିଲା—ଏମିତ କାମ ମୋ ଦ୍ଵାରା ହୁଏନା ଭାଉଜ । ମୁଁ ଏମିତି ନୀଚ ନୁହେ ଯେ ଭାଇର ଦେବା ଗହଣାକୁ ନେଇ ବଣିଆ ପାଖରେ ପରୀକ୍ଷା କରି ଦେଖିବି ।

 

ନରେନ୍ଦ୍ର ଗମ୍ଭୀର ସ୍ଵରରେ କହିଲା—ଇନ୍ଦୁ, ତୁମକୁ ଯେଉଁ ଖଣ୍ଡେ ଦିଖଣ୍ଡ ଗହଣା ମୁଁ ଦେଇଛି, ତାକୁ କେବେ କୋଉ ବଣିଆ ପାଖକୁ ନେଇ ପରୀକ୍ଷା କରି ଦେଖିଛ ?

 

କେବେ ଦେଖିନି ଅବଶ୍ୟ, କିନ୍ତୁ ଏଥର ନେଇ ଦେଖିବି ।

 

ହଁ ଦେଖିନିଅ । ସେ ଗୁଡ଼ାକ ପିତଳ କି ଖାଣ୍ଟି ସୁନା ଜାଣିପାରିବ ।

 

ତା’ପରେ ବିମଳା ଆଡ଼କୁ ଚାହିଁ ହାରଟା ଦେଇ ଭଙ୍ଗାସ୍ଵରରେ କହିଲା—ଏଇଟା ସତରେ ସୁନା ନୁହେଁ ଭଉଣୀ, ପିତଳ । କି ଅଭାବରେ ପଡ଼ି ବାପ ହୋଇ ନିଜର ଏକମାତ୍ର ଝିଅର ଜନ୍ମରେ ପିତଳକୁ ସୁନା କହି ଠକିଛି, ତା ତୁ ଅନୁମାନ କରି ପାରୁଥିବୁ । ତେବେ ଏକଥା ସତ ଯେ, ଝିଅକୁ ସିନା ଠକି ଦେଇ ପାରିଲି, କିନ୍ତୁ ନିଜ ସ୍ତ୍ରୀକୁ ଠକିବା ପାଇଁ କେବେ ସାହସ କରିନି ।

 

ସାତ

 

ଇନ୍ଦୁକୁ ଘର ଭିତରୁ ଡାକି ନେଇ ବିମଳା କହିଲା—ମୋ କଥା ଶୁଣ ଭାଉଜ, ଯାଇ ଗୋଡ଼-ହାତ ଧରି କ୍ଷମା ମାଗିନିଅ ।

 

କାହିଁକି, ମୁଁ କି ଦୋଷକରି ପକେଇଛି ? ମୋ ମୁଣ୍ଡ କାଟି ଦେଲେ ବି ମୁଁ ସେ କଥା କରି ପାରିବି ନାହିଁ, ବିମଳା ।

 

କାହିଁକି ପାରିବ ନାହିଁ ? ନିଜ ସ୍ଵାମୀର ଗୋଡ଼ ଧରି କ୍ଷମା ମାଗି ନେଲେ କଣ ମହତ ସରିଯିବ ? ଧର ଏବେ, ତମର କିଛି ଦୋଷ ନାହିଁ, କେବଳ ନିଜ ସ୍ୱାମୀକୁ ସନ୍ତୁଷ୍ଟ କରିବା ପାଇଁ ତମେ ଯାଇ କ୍ଷମା ମାଗିନେବ, ଏଥିରେ ଲାଜ ବା ଅପମାନର କଥା କଣ ଅଛି ? ସ୍ଵାମୀ ମନ ଖୁସି ରଖିବାଠୁଁ ବଳି ବଡ଼ କାମ ସ୍ତ୍ରୀ ପକ୍ଷରେ ଆଉ କଣ ଅଛି ?

 

ନା, ତା ଆଉ କା ପକ୍ଷରେ ବଡ଼ ହେଇ ପାରେ, ମୋ ପକ୍ଷରେ କିନ୍ତୁ ନୁହେଁ । ଭଗବାନଙ୍କ ପାଖରେ ସଚ୍ଚୋଟ ହୋଇ ରହିବା ମୋ ପକ୍ଷରେ ସବୁଠାରୁ ବଡ଼ କାମ । ଯେତେଦିନ ଯାଏ ସେଥିରୁ ନ ହୁଡ଼ିଛି ସେତେଦିନ ଯାଏ ମୁଁ ଆଉ କେଉଁଥିକି ଖାତିର କରେନା କି କାହାରିକୁ ଭୟ କରେନା ।

 

ବିମଳା ଏଥର ବାସ୍ତବିକ୍‌ ରାଗି ଉଠିଲା । କହିଲା—ଭାଉଜ, ଏଇ ସଚ୍ଚୋଟ ପଣିଆ ମତେ ବେଶ୍‌ ମାଲୁମ୍‌ ଅଛି । କିନ୍ତୁ କହି ରଖୁଛି, ଏ ସବୁ ସେତେବେଳେ କୌଣସି କାମରେ ଆସିବ ନାହିଁ—ଲେଡ଼ି ଗୁଡ଼ କହୁଣୀକି ବହି ସାରଥିବ । ଆଖି ବୁଜି ଦେଲେ ବିପଦ ଘୁଞ୍ଚିଯାଏ ନାହିଁ । ବେଳହୁଁ ସତର୍କ ହୁଅ । ଭାଇ ପ୍ରକୃତରେ ତମ ଉପରେ ଖୁବ୍ ବିରକ୍ତ ହୋଇ ଉଠିଛନ୍ତି । ତାଙ୍କ ମନରେ ଭାରି କଷ୍ଟ ହେଇଛି ।

 

ଇନ୍ଦୁ ଉଦାସ ଭାବରେ କହିଲା—ସେଇଟା ତାଙ୍କ ଇଚ୍ଛା ଉପରେ ନିର୍ଭର କରେ ।

 

ବିମଳା ମନେମନେ ରାଗରେ ଜଳି ଉଠି କହିଲା—ସେଇ ଇଚ୍ଛାର ଟେରପାଇବ ସେ ଦିନ, ଯେତେବେଳେ ଭାବିବା ପାଇଁ ଆଉ ବେଳ ନଥିବ । ବୁଝିଲ ? ମୋ କଥା ମାନି ନିଜର ସର୍ବନାଶ କରିବାକୁ ଚେଷ୍ଟା କରନି । ଭାଇ ଯେମିତି ନିରୀହ, ସେମିତ କଠୋର ମଧ୍ୟ । ତାଙ୍କର ଗୋଟାଏ ପାଖ ତୁମେ ଦେଖିଛ ସିନା, ଆରପାଖଟା ଏ ପର୍ଯ୍ୟନ୍ତ ଦେଖିନ । ସେ ସମୟ ଏଇଲେ ଆସିନି; ଆସିଲେ—

 

ହେଉ, ଆସିଲେ ତମକୁ ଖବର ଦେବି ।

 

ବିମଳା ଆଉ କିଛି କହିଲା ନାହିଁ । କିଛି ସମୟ ଚୁପ୍‌ ରହି ଗୋଟାଏ ଲମ୍ବା ନିଃଶ୍ଵାସ ଛାଡ଼ି ଆସ୍ତେ ଆସ୍ତେ କହିଲା—ହେଉ, ଭଲ କଥା । ଭଗବାନ କରନ୍ତୁ ସେମିତି ଅଘଟଣ ନ ଘଟୁ । ସ୍ଵାମୀ ସ୍ନେହରୁ ବଞ୍ଚିତ ହେବାଟା ବେଶି ବେଳ ନୁହେଁ ଭାଉଜ; କିନ୍ତୁ ମୋ ଭାଇ ସେ ଧରଣର ଲୋକ ନୁହନ୍ତି । ସେ ବେମାରରେ ପଡ଼ିଥିବାବେଳେ ମୁଁ ତାଙ୍କୁ ଖୁବ୍‌ ଭଲ ଭାବରେ ଚିହ୍ନି ପାରିଛି । ଦେଖ, ତାଙ୍କ ହୃଦୟର କବାଟ ଥରେ ବନ୍ଦ ହୋଇଗଲେ, ତାକୁ ଆଉ ଖୋଲିବା ମୁସ୍କିଲ ।

 

ଇନ୍ଦୁର ମୁହଁ ଗମ୍ଭୀର ହୋଇଗଲା, କହିଲା—ନ ଖୋଲିଲେ ବାହାରେ ରହି ବି ସିନା, କିନ୍ତୁ ଖୋଲିବା ପାଇଁ ଗୋଡ଼ହାତ ଧରି ମୁଁ ଅନୁରୋଧ କରିବି ନାହିଁ । ତୁମକୁ ବି ସେତେବେଳେ ମଧ୍ୟସ୍ଥ ହେବା ପାଇଁ ଖୋସାମତ୍‍ କରିବାକୁ ମୁଁ ଯିବିନି । ଏ କଣ ! ରାଗରେ ଚାଲି ଯାଉଛ ନା କଣ-?

 

ବିମଳା ଚାଲି ଯାଉଯାଉ ଠିଆ ହୋଇ ପଡ଼ି କହିଲା—ରାଗରେ ନୁହେଁ, ଭାଉଜ, ମନ ଦୁଃଖରେ ଯାଉଛି । ତୁମକୁ ନିଜର ଭଉଣୀ ଠାରୁ ବଳି ବେଶୀ ଭଲପାଏ ବୋଲି ମୋ ଅନ୍ତର ଭିତରଟା ତମ କଥା ଭାବି କାନ୍ଦି ଉଠୁଛି । ଭାଇଙ୍କ ମୁହଁରୁ ଯେ ଏମିତି କଥା ବାହାରିବ, ମୁଁ କେବେ ହେଲେ ବିଶ୍ଵାସ କରି ନଥିଲି । ଆଉ, ଆଜି ନିଜେ ନଶୁଣିଥିଲେ, କେବେହେଲେ ବି ବିଶ୍ଵାସ କରିନଥାନ୍ତି ।

 

ଇନ୍ଦୁ ହସି ଉଠି କହିଲା—ଏତେ ବକ୍ତୃତା ତାଙ୍କ ମୁହଁରୁ ତୁମେ କେବେ ଆଉ ଶୁଣିବନି ।

 

ତୁମେ ମଧ୍ୟ କମ ବକ୍ତୃତା କରନି ଭାଉଜ । ତେବେ ସେ ଯେ ଆଉ କେବେହେଲେ ଏ ବିଷୟରେ ପାଟି ଫିଟାଇବେନି ତା’ ମୁଁ ଜାଣେ । ଗୋଟାଏ କଥାକୁ ବାରମ୍ବାର ଘୋଷିହେବା ଲୋକ ସେ ନୁହଁନ୍ତି ।

 

ଇନ୍ଦୁ ଆହୁରି ଥରେ ହସି ଉଠି କହିଲା—ସେଇଟା ସତ, ତେବେ ଆଉ ଗୋଟାଏ ତାର ବଡ଼ କାରଣ ଅଛି ବିମଳା, ଯା ଫଳରେ ସେ ଆଉ କୋଉଦିନ ହେଲେ ସ୍ଵପ୍ନରେ ସୁଦ୍ଧା ପାଟି ଖୋଲିବେ ନାହିଁକି ନାଲି ଆଖି ଦେଖାଇବାକୁ ସାହସ କରିବେନି ବାପା ଚିଠି ଦେଇଛନ୍ତି, ସେ ମୋ ନାଁରେ ଦଶହଜାର ଟଙ୍କାର ଗୋଟାଏ ଉଇଲ୍‌ କରି ଦେଇଛନ୍ତି ଏ ଭିତରେ । କଣ କହୁଛ ବିମଳା, ତାଙ୍କ ଗୋଡ଼ ଧରିବାକୁ ମତେ ଆଉ ପଡ଼ିବ ବୋଲି ମନେ କରୁଛ ?

 

ବିମଳାର ମୁହଁ ଆହୁରି ଗମ୍ଭୀର ହୋଇ ଉଠିଲା । କହିଲା—ଭାଉଜ, ଏହା ପୂର୍ବରୁ ବି ସେ ତମକୁ କେବେ ହେଲେ ନାଲି ଦେଖାଇ ନାହାନ୍ତି । ତାଙ୍କୁ ଯେମିତି ଅବସ୍ଥାରେ ଛାଡ଼ି ଦେଇ ତୁମେ ମେଦିନୀପୁର ଚାଲି ଯାଇଥିଲ, ତା’ ମୁଁ ଜାଣେ । କିନ୍ତୁ ଥରେ ହେଲେ ସେ ତୁମ ଉପରେ ରାଗି ନାହାନ୍ତି କି ତମ ନିନ୍ଦା କରି ନାହାନ୍ତି । ତୁମର ସବୁ ଦୋଷ ସେ ମୋ ପାଖରେ ଲୁଚାଇ ରଖିଛନ୍ତି, ଭୁଲ ସୁଦ୍ଧା କରି ନାହାନ୍ତି । ସେ କଣ ତା’ କେବଳ ଟଙ୍କା ଲୋଭରେ କରିଥିଲେ ବୋଲି ଭାବୁଛ ? ଯା ହୃଦୟରେ ଯା ପ୍ରତି ସ୍ନେହ ନାହିଁ, ତା ପ୍ରତି ବି ପ୍ରେମ ନାହିଁ । ସ୍ନେହ ବିହୁନେ ପ୍ରେମ ଅସମ୍ଭବ ଏ କଥା ଜାଣ ତ ଭାଉଜ ? ସେଇ ଜିନିଷକୁ ତୁମେ ଜାଣି ଜାଣି ହେଳା କରୁଛ । ମନେରଖ, ତାର ଟେର୍‌ ତୁମେ ସେଇ ଦିନ ପାଇବ, ଯେଉଁ ଦିନ ତାକୁ ପ୍ରକୃତରେ ହରାଇ ବସିବ । କିନ୍ତୁ ତମର ପରମ ଭାଗ୍ୟ ଯେ ମୋ ଭାଇଙ୍କର ପ୍ରକୃତି ସେମିତି ନୁହଁ । ହଉ ଥାଅ, ସନ୍ଧ୍ୟା ହୋଇଗଲାଣି ମୁଁ ଯାଉଛି । କାଲି ପଅର ଦିନ ଆଡ଼କୁ ସମୟ ହେଲେ ଥରେ ଥରେ ଆମ ଘର ଆଡ଼କୁ ଯିବ ଭାଉଜ-। ମୁଁ ଚାଲିଲି ।

 

ହଉ ଚେଷ୍ଟା କରିବି, କହି ଇନ୍ଦୁ ପଛେ ପଛେ ଆସି ସଦର ଦରଜା ପାଖରେ ଠିଆ ହେଲା । ତା ଆସିବା କଥା ବିମଳା ଜାଣି ବି ଜାଣିଲା ନାହିଁ ଏହା ଇନ୍ଦୁ ବୁଝିପାରିଲା । ଏ ଦୁଇ ସଖୀ ସବୁବେଳେ ପରସ୍ପର ଠାରୁ ବିଦାୟ ନେଲାବେଳେ ପରସ୍ପରକୁ ନିଜ ଘରକୁ ଯିବାପାଇଁ ନିମନ୍ତ୍ରଣ ଜଣାଇ ଥାଆନ୍ତି, କିନ୍ତୁ ଆଜି ତା ହେଲାନି । ବିମଳା ଯେ ଘରୁ ବାହାରି ଚାଲିଗଲା, ଆଉ ପଛକୁ ଫେରି ଚାହିଁଲାନି ।

 

ଇନ୍ଦୁର ମନରେ ଅଭିମାନ ଭରିଗଲା । ସେ ଫେରି ଆସି କମଳାକୁ ଛାତିରେ ଜାକି ଶୋଇ ପଡ଼ିଲା ।

 

ବିମଳା ସିନା ଚାଲିଗଲା, କିନ୍ତୁ ତା’ର ସେଇ ଖରତପ୍ତ ମର୍ମଭେଦୀ କଥା ଗୁଡ଼ାକ ଯେମିତି ଛାଡ଼ି ଦେଇଗଲା । ତା’ର ଉତ୍ତାପ ଯେ କେତେ ତୀବ୍ରତା ଇନ୍ଦୁ ଅନୁଭବ କରି ପାରିଲା । ସେଇ ଉତ୍ତାପରେ ତା’ ଅହଙ୍କାରର ଅଭ୍ରଭେଦୀ ତୁଷାରସ୍ତୁପ ତରଳି ଯେତିକି ବହି ଯିବାକୁ ଲାଗିଲା, ଗୋଟାଏ ନୂଆ ଜିନିଷ ତା ଆଖି ଆଗରେ ସେତିକି ନାଚି ଉଠିଲା । ଏତେ ପଙ୍କ, ଏତେ ଆବର୍ଜ୍ଜନା, ଏତେ କର୍କଶ-କଠିନ ଶିଳାଖଣ୍ଡ ଯେ ଏଇ ଘନୀଭୂତ ଜଳତଳେ ଜମି ରହିଥିଲା ତା ସେ ସ୍ଵପ୍ନରେ ସୁଦ୍ଧା ଭାବି ନ ଥିଲା ।

 

ହଠାତ ତା’ର ମନେହେଲା, ତା ଅନ୍ତର ଭିତରୁ ଯେମିତି କିଏ ଡାକି କହୁଛି—ଯେବେ ସତକୁ ସତ ସେ ତତେ ପରିତ୍ୟାଗ କରି ଚାଲିଯାଆନ୍ତି, ତୋ ଅବସ୍ଥା ତେବେ କଣ ହେବ ଜାଣି ପାରୁଛୁ ଇନ୍ଦୁ ? ତୁ ଯେବେ ଯାଇ ତାଙ୍କ ପାଖରେ ବସିଲେ ସେ ଘୃଣାରେ ତତେ ପାଦରେ ଠେଲି ଦିଅନ୍ତି; ସେତେବେଳେ ତୋ ମନର ଅବସ୍ଥା କଣ ହେବ ଭାବି ପାରୁଛୁ ?

 

ଇନ୍ଦୁର ଦେହସାରା କଣ୍ଟା ଫୋଡ଼ି ଦେଇଗଲା ପରି ଲାଗିଲା । ସେ ଭୟରେ ଚିତ୍କାର କରି ଉଠିଲା ।

 

କମଳା ଆହୁରି ପାଖକୁ ଘୁଞ୍ଚିଯାଇ ପଚାରିଲା—କଣ ହେଲା ମା ?

 

ଇନ୍ଦୁ ତାହାକୁ ଜୋରରେ ଜାକି ଧରି ତା ମୁହଁରେ ଚୁମା ଦେଇ କହିଲା—କିଛି ନୁହେଁ ମା, ତୋ ପିଇସା ମତେ ଆଜି ଭାରି ଭୟ ଦେଖେଇ ଯାଇଛି କି ନା ସେଇଥିପାଇଁ—

 

କି ଭୟ ମା ?

 

ଇନ୍ଦୁ ଆଉଥରେ ଚୁମାଖାଇ କହିଲା—କିଛି ନୁହେଁ ମା, ସବୁ ମିଛ—ସବୁ ମିଛ । ଗଲୁ ମା ଦେଖି ଆସିବୁ ତୋ ବାପା କଣ କରୁଛନ୍ତି ?

 

କମଳା ମା କୋଳରୁ ଉଠି ଧାଇଁ ଚାଲିଗଲା ।

 

ଆଜିକି ଦି ଦିନ ହେଲା ସ୍ଵାମୀ-ସ୍ତ୍ରୀ ଭିତରେ ପଦେହେଲେ କଥା ବାର୍ତ୍ତା ହେଇନି । କମଳା କ୍ଷଣକ ପରେ ଫେରି ଆସି କହିଲା—ବାପା ଚୁପ୍‌ ହୋଇ ଶୋଇ ପଡ଼ିଛନ୍ତି ମା ।

 

ଚୁପ୍‌ ହୋଇ ? ଆଚ୍ଛା, ତୁ ଏଇଠି ଶୋଇଥା, ମୁଁ ଯାଇ ଟିକିଏ ଦେଖି ଆସେ କହି ଇନ୍ଦୁ ଉଠି ଚାଲିଗଲା । ପର୍ଦ୍ଦା ଫାଙ୍କରେ ଚାହିଁ ଦେଖିଲା–ପ୍ରକୃତରେ ସେ ଚୁପ୍‌ଚାପ୍‌ ହୋଇ ଉପରକୁ ଚାହିଁ ଶୋଇଛନ୍ତି । ପାଞ୍ଚ ଛ ମିନିଟ୍‌ ଯାଏ ନୀରବରେ ଠିଆ ହୋଇ ରହି ଇନ୍ଦୁ ପୁଣିଥରେ ଫେରି ଆସିଲା-। ଘରଭିତରକୁ ପଶିଯିବା ପାଇଁ ତାର ଆଜି ସାହାସ ହେଲାନି ଦେଖି ସେ ନିଜେ ଆଶ୍ଚର୍ଯ୍ୟ ହେଇଗଲା ।

 

ଆସି ଖଟ ଉପରେ ବସି ଆସ୍ତେ ଆସ୍ତେ ଡାକିଲା—କମଳା ?

 

କଣ ମା ?

 

ତୋ ବାପାଙ୍କର ବୋଧହୁଏ ଖୁବ୍‌ ମୁଣ୍ଡ ଧରିଛି । ଗଲୁ ମା, ବାପା ପାଖରେ ବସି ଆସ୍ତେ ଆସ୍ତେ ମୁଣ୍ଡ ଚିପି ଦେବୁ ।

 

କମଳା ଉଠି ଧାଇଁ ଧାଇଁ ଚାଲିଗଲା ।

 

ଇନ୍ଦୁ ପଛେ ପଛେ ଯାଇ ପର୍ଦ୍ଦା ଆଢ଼ୁଆଳରେ ଠିଆ ହେଇ ବାପ ଝିଅଙ୍କର କଥା ବାର୍ତ୍ତା ଶୁଣିବାକୁ ଲାଗିଲା ।

 

କମଳା ପଚାରିଲା—ତମ ମୁଣ୍ଡ ଏତେ ଧରୁଛି କାହିଁକି ବାପା ?

 

କାହିଁ, ମୋ ମୁଣ୍ଡ ଧରିନି ତ ମା ?

 

ମା ତ କହିଲା, ତୁମ ମୁଣ୍ଡ କୁଆଡ଼େ ଭାରି ଧରିଛି ?

 

ନରେନ୍ଦ୍ର କିଛିକ୍ଷଣ ଯାଏ କମଳା ମୁହଁକୁ ନୀରବରେ ଚାହିଁ ରହିଲା । ତାପରେ କହିଲା—ତୋ ମା ଜାଣେନି ।

 

ପର୍ଦ୍ଦା ଆଡ଼େଇ ଧୀରେ ଧୀରେ ଘର ଭିତରକୁ ପଶି ଆସିଲା । ଟେବୁଲ ଉପରେ ଆଲୁଅଟା ଟିକିଏ କମେଇ ଦେଇ, ନରେନ୍ଦ୍ର ପାଖରେ ବସି ପଡ଼ି ତା ଦେହରେ ହାତ ଲଦି ପଚାରିଲା–ରୋଗା ଦେହରେ ଏତେ ପରିଶ୍ରମ କରୁଛ କାହିଁକି କହିଲ ? ଗଲୁ ମା, ଆର ଘରୁ ଓଡ଼ିକୋଲେନ୍‌ ଶିଶିଟା ନେଇ ଆସିବୁ—ଆଉ, ରାମଟହଲକୁ ଡାକି କହି ଦେ, ସେ ଯାଇ କିଛି ବରଫ କିଣି ଆଣିବ-

 

କମଳା ଚାଲିଗଲା ପରେ ଇନ୍ଦୁ ଉଠି ଆସି ନରେନ୍ଦ୍ରର ମୁଣ୍ଡ ପାଖରେ ବସିଲା । ମୁଣ୍ଡରେ ହାତ ମାରି କହିଲା—ନିଆଁ ବାହାରୁଛି ଯେ !

 

ନରେନ୍ଦ୍ର ଆଖିବୁଜି ସେମିତି ଚୁପ୍‍ଚାପ୍‍ ପଡ଼ି ରହିଲା—କିଛି କହିଲା ନାହିଁ ।

 

ଇନ୍ଦୁ ନୀରବରେ ବସି ମୁଣ୍ଡରେ ହାତ ବୁଲାଉ ବୁଲାଉ ନରେନ୍ଦ୍ରର ମୁହଁ ଉପରକୁ ଝୁଙ୍କି ପଡ଼ି ମୁହଁକୁ ଟିକିଏ ହଲେଇ ଦେଇ କଅଁଳ ସ୍ଵରରେ ପଚାରିଲା—ଖୁବ୍‌ ରାଗି ଯାଇଛ ନା ? ଛାତିର ବଥାଟା ଆଜି କେମିତି ଅଛି ?

 

ନରେନ୍ଦ୍ର ଇନ୍ଦୁ ମୁହଁକୁ ଚାହିଁ ଆସ୍ତେ ଆସ୍ତେ କହିଲା—ସେମିତି ।

 

ଏ ଦି ଦିନ ହେଲା, ବୋଧହୁଏ ଔଷଧ ଖିଆ ବନ୍ଦ କରିଦେଇଛ । ରୋଗଟା ଯେବେ ବଢ଼ିଯାଏ, କଣ ହବ କହ ତ ?

 

ନରେନ୍ଦ୍ର ଶାନ୍ତ କଣ୍ଠରେ କହିଲା—ଦେହଟା ଭଲ ନାହିଁ, ଦୁର୍ବଳ ଲାଗୁଛି, ଟିକିଏ ଚୁପ୍‌ ହୋଇ ବସ, ଇନ୍ଦୁ ?

 

ଇନ୍ଦରୁ ମନ ମରିଗଲା । ଏମିତି ଉତ୍ତର ସେ କେବେ ଆଶା କରି ନ ଥିଲା । ବସିବା ସ୍ଥାନରୁ ଉଠିପଡ଼ି ମୁହଁ ଫଣ ଫଣ କରି କହିଲା—ମୁଁ ଏଠି ବସିବାଟା ଯେବେ ଭଲ ଲାଗୁନି, ତେବେ ଥାଅ, ମତେ ବାଇ ଝାଙ୍କିଥିଲା ଯେ ମୁଁ ତମ ପାଖକୁ ଆସିଥିଲି କହି ସେ ଚାଲି ଆସିଲା । ଆସୁ ଆସୁ ଦ୍ଵାରବନ୍ଧ ପାଖରେ ଠିଆ ହୋଇ ଯାଇ କହିଲା—ଏମିତି ନିଜର ପ୍ରାଣଟାକୁ ନଷ୍ଟ କରି ମତେ ଶାସ୍ତି ଦେବ ବୋଲି ଭାବିଛ, ନୁହେଁ ? ଏଇ ନେଇ ପଢ଼ି ଦେଖ, ବାପା ମୋ ନାଁରେ ଦଶ ହଜାର ଟଙ୍କାର ଉଇଲ କରି ଦେଇଛନ୍ତି କହି ଚିଠିଟାକୁ ନରେନ୍ଦ୍ରର ବିଛଣା ଉପରକୁ ଫିଙ୍ଗି ଦେଇ ଘରୁ ବାହାରି ଚାଲି ଆସିଲା । ତମ ତମ ହେଇ ନିଜର ଶୋଇବା ଘରକୁ ପଳାଇ ଯାଇ କବାଟ କିଳି ଖଟ ଉପରେ ମୁହଁ ମାଡ଼ି ଶୋଇ କଇଁ କଇଁ ହୋଇ କାନ୍ଦି ଉଠିଲା ।

 

କଥା ସହିବା କି ହାର ମାନିବା ତା ଜାତକରେ ନାହିଁ । ପିଲାଦିନୁ ସେ ତା ଶିଖିନି—ଅନେକ ସ୍ତ୍ରୀ ବି ଶିଖି ନ ଥାନ୍ତି । ସେଇ ହେତୁ ଆଉ ସେ ଯେଉଁ ସାଧୁ ସଂକଳ୍ପ ନେଇ ନରେନ୍ଦ୍ର ପାଖରେ ଯାଇ ବସିଥିଲା, ତା ନିମିଷକ ମଧ୍ୟରେ ବ୍ୟର୍ଥ ହେଇଗଲା । ସେ ଗୋଟାଏ କାମ କରିବାକୁ ଯାଇ, ଆଉ ଗୋଟାଏ କାମ କରି ଫେରି ଆସିଲା ।

 

ଆଠ

 

ଏ କଣ ବିମଳା, ତୁମେ କାନ୍ଦୁ ଥିଲ ନା କ’ଣ ? ଆଖି ଦିଟା ମନ୍ଦାର ଫୁଲପରି ଲାଲ ପଡ଼ିଯାଇଛି ଯେ !

 

ଅମ୍ବିକା ବାବୁଙ୍କ ସ୍ତ୍ରୀ ପାଖରେ ବସି ଶୁଣୁଥିଲେ, ବିମଳା ଚିତ୍‌ ହେଇ ଶୋଇ ଗୋଟାଏ ବହି ପଢ଼ୁଥିଲା । ଇନ୍ଦୁ ସ୍ଵର ଶୁଣି ଧଡ଼ପଡ଼ ହେଇ ଉଠି ବସି ଆଖି ପୋଛି ଇନ୍ଦୁକୁ ବସିବା ପାଇଁ କହି ହସି ହସି କହିଲା—ସତରେ ଭାଉଜ, ଦୁର୍ଗାମଣିର ଦୁଃଖରେ ଛାତି ଫାଟି ଯାଉଛି ।

 

ଇନ୍ଦୁ ଆଶ୍ଚର୍ଯ୍ୟ ହୋଇ ପଚାରିଲା—ଦୁର୍ଗାମଣି କିଏ ?

 

ଦୁର୍ଗାମଣି କିଏ, ତୁମେ ଜାଣନି ଭାଉଜ ? ଯାହାର ସୁଖ୍ୟାତି ଚାରିଦିଗରେ ଚହଟୁଛି, ତା କଥା ତୁମେ ଶୁଣିନ ?

 

ଇନ୍ଦୁ ବୁଝି ପାରିଲା, ଦୁର୍ଗାମଣି ହେଉଛି ବିମଳା ଧରିଥିବା ବହିର ନାୟିକା । ହାତ ବଢ଼ାଇ କହିଲା—ଦେଖେ, ସେଇଟା କି ବହି ?

 

ବହିନେଇ ଖୋଲି ଦେଖିଲା—ବହିର ଲେଖକ ହେଉଛନ୍ତି ତା’ ସ୍ଵାମୀ । ଆଉ ଗୋଟାଏ ପୃଷ୍ଠା ଲେଉଟାଇ ଦେଖିଲା—ବହିଟି ବିମଳା ନାଁରେ ଉତ୍ସର୍ଗ ହେଇଛି । ଏମୁଣ୍ଡୁ ସେମୁଣ୍ଡୁ ଯାଏ ଥରେ ଦେଖିନେଇ ଇନ୍ଦୁ ବିମଳା ହାତକୁ ପୁଣି ବହିଟି ବଢ଼ାଇ ଦେଲା ।

 

ଇନ୍ଦୁର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ବହି ଲେଖାହେଲା, ଛପା ହେଲା, ଉପହାର ଦିଆଗଲା, ହୁଏତ ସେ ଏ ବିଷୟରେ ବିନ୍ଦୁ ବିସର୍ଗ ସୁଦ୍ଧା ଜାଣି ପାରିଲା ନାହିଁ ! ତା’ ମୁହଁର ଚେହେରା ବଦଳି ଗଲା । ସେ ଗମ୍ଭୀର ହୋଇ ବସି ରହିଲା । ବିମଳା ତା ମୁହଁକୁ ଚାହିଁ କିଛି ପଚାରିବାକୁ ସାହସ କଲାନି । କିଛି ସମୟ ଗମ୍ଭୀର ହୋଇ ବସି ରହିବା ପରେ ଇନ୍ଦୁ ନିଜେ ମୁହଁ ଖୋଲିଲା । କହିଲା—ମତେ ଏ ନାଟକ, ନଭେଲ ସବୁ ପଢ଼ିବାକୁ ଭଲଲାଗେନା, କେବେ ପଢ଼େନି-। ବହି ଖଣ୍ଡି ଭଲ ହେଇଚି ଶୁଣି ଖୁସି ଲାଗୁଛି ।

 

ଏତିକିବେଳେ ଅମ୍ବିକାବାବୁଙ୍କ ଚାକର ଆସି କହିଲା—ମା, ବାବୁ ପଚାରୁଛନ୍ତି; ଆଜି ତାଙ୍କର ମିଉଜିୟମ ଦେଖିଯିବା ପାଇଁ କଥା ଥିଲା—ଯିବେ ?

 

ଅମ୍ବିକା ବାବୁଙ୍କ ସ୍ତ୍ରୀ ବିମଳା ଓ ଇନ୍ଦୁ ଠାରୁ ବୟସରେ ସାନ । ଲାଜରେ ଜଡ଼ସଡ଼ ହୋଇ ମୁଣ୍ଡ ନୁଆଁଇ ଆସ୍ତେ ଆସ୍ତେ କହିଲା—ଯା କହିଦେବୁ, ତାଙ୍କ ଦେହ ତ ଏ ପର୍ଯ୍ୟନ୍ତ ପୂରା ଭଲ ହେଇନି, ଆଜି ଥାଉ, ଆଉ ଦିନେ ଯିବେ ।

 

ଚାକର ଚାଲିଗଲା । ଇନ୍ଦୁ ଅବାକ୍‌ ହେଇ ଚାହିଁ ରହିଲା । ତା’ର ମନେ ହେଲା ସେ ଏମିତି କଥା ଯେପରି ଆଉ କେବେ ଶୁଣି ନାହିଁ ।

 

କିଛି ସମୟ ପରେ ଭୋଳା ଆସି ବିମଳାକୁ ପଚାରିଲା—ବାବୁ ଲୋକ ପଠାଇ ପଚାରିଛନ୍ତି, ତାଙ୍କ ଅଫିସର ଗୋଟାଏ ବଡ଼ ଆଲମିରା ନିଲାମ ହେଉଛି, କିଣିବେ କି ?

 

ବିମଳା କହିଲା—ନା, ଯା କହିଦେବୁ, ଏତେ ବଡ଼ ଆଲମିରା ଆମର କଣ ହେବ, ଗୋଟାଏ ଛୋଟ ବୁକ୍‌ ସେଲ୍‌ଫ ହେଲେ ଚଳିବ । ସେଇଟା କିଣିବା ଦରକାର ନାହିଁ ।

 

ଭୋଳା ଚାଲିଗଲା । ଇନ୍ଦୁ ଅବାକ୍‌ ହେଇ କେବଳ ସେଇ କଥା ଭାବି ଲାଗିଲା । ଏଇ ସ୍ଵାମୀ ଦୁଇଟି ଯାହା ପଚାରି ପଠାଇଥିଲେ ସେଥିରେ ସେ ପ୍ରଭୁତ୍ତ୍ୱର ସୂଚନା ପାଇଲା ନାହିଁ କି, ଏ ସ୍ତ୍ରୀ ଦୁଇଟି ଯାହା ଜବାବ ଦେଲେ ସେଥିରେ ସେ ଦାସତ୍ଵର ଲକ୍ଷଣ ପାଇଲା ନାହିଁ । ଅଥଚ ତା ନିଜର ମନ ଭିତରେ ସେ ଯେମିତି ଗୋଟାଏ ବ୍ୟଥା ଅନୁଭବ କରିବାକୁ ଲାଗିଲା । ତା’ର ମନେ ହେଲା, ସେ ଯେମିତି ଏ ସ୍ତ୍ରୀ ଦୁଇଟି ପାଖରେ ଅତି ଛୋଟ ହେୟ ହେଇ ଯାଇଛି ।

 

କିଛି ସମୟ ପରେ ଇନ୍ଦୁ ଉଠି ଯିବା ପାଇଁ ବାହାରିଲା । ବିମଳା ତା’ର ଗୋଟାଏ ହାତ ଧରି ଆସ୍ତେ ଆସ୍ତେ ପଚାରିଲା—ସତରେ କଣ ଭାଇ ତୁମକୁ ଏ ବହି ବିଷୟ କିଛି ହେଲେ କହି ନାହାନ୍ତି ଭାଉଜ ?

 

ତମେ କେମିତି ଜାଣିଲ ?

 

ତମ ମୁହଁରୁ ମୁଁ ତା ଠଉରେଇ ପାରିଛି ।

 

ନା, ମତେ କିଛି ହେଲେ କହି ନାହାନ୍ତି ! ମୋର ବି ବେଳ ନାହିଁ ଏସବୁ କଥା ବୁଝିବା ପାଇଁ । ଦିନ ସାରା ତ ବସି ଲେଖନ୍ତି, କଣ ଲେଖନ୍ତି କିଏ ଜାଣେ । ହଁ ବିମଳା ଗୋଟାଏ ଖବର ଦେବାକୁ ଆସି ଭୁଲି ଯାଇ ଥିଲି । ମୁଁ କାଲି ଆମ ଗାଁକୁ ଯାଉଛି ।

 

ବିମଳା ଉଦ୍‌ବିଘ୍ନ ହୋଇ କହିଲା—ଗାଁକୁ ଯିବ ? ଭାଇଙ୍କର ଏମିତି ଅବସ୍ଥାରେ ତୁମେ ଗାଁକୁ ଯିବ ବୋଲି କେମିତି କହୁଛ ଭାଉଜ ? ନା, ତମେ ଯାଅନି ଭାଉଜ ।

 

କାହିଁକ ?

 

କାହିଁକି ତା କଣ ମତେ ତମକୁ ବୁଝେଇ ଦେବାକୁ ପଡ଼ିବ ? ଭାଇ କୌଣସି ଦିନ ହେଲେ ତାଙ୍କ ସୁଖ ଦୁଃଖର ବୋଝ ତୁମ ଉପରେ ଲଦି ଦେବାକୁ ଚାହାନ୍ତି ନାହିଁ—ତା କ’ଣ ତୁମେ ନିଜେ ଜାଣି ପାରୁନ ? ସ୍ଵାମୀ ସ୍ନେହ ଥରେ ହରେଇଲେ ତା ଆଉ ସହଜେ ମିଳେନା ଭାଉଜ । ତମେ ମନେ ମନେ ମୋ କଥା ଟିକେ ଭାବି ଦେଖ ।

 

ଇନ୍ଦୁ ବିରକ୍ତରେ ନାକ ଫୁଲେଇ କହିଲା—ତୁମକୁ ଅନେକ ଥର କହିଛି ବିମଳା, ମୋର ତ ଦରକାର ନାହିଁ-ନାହିଁ-ନାହିଁ । ମୋ ଭାଇଙ୍କ ପାଖରେ ମୁଁ ନିଶ୍ଚନ୍ତରେ ରହିପାରିବି । ୟାଙ୍କ ସ୍ନେହ ସୋହାଗ ୟାଙ୍କର ପାଖରେ ଥାଉ, ମୋର ଦରକାର ନାହିଁ ।

 

ଏଥର ବିମଳା ରାଗଉଠି କହିଲା—ଏ ସବୁ ବଡ଼େଇ ପୁରୁଷ ଲୋକଙ୍କର ପାଖରେ ଯାଅ କରିବ ଭାଉଜ; ମୁଁ ତ ମାଇପିଲୋକ, ମୋ ପାଖରେ କରି ଲାଭ ନାହିଁ । ତୁମ ବାପା ବଡ଼ ଲୋକ, ଭାଇ ବଡ଼ଲୋକ, ଧନ ସମ୍ପତ୍ତିର ଅଭାବ ନାହିଁ—ଏଇ ତ ତମର ଅହଙ୍କାର ? ହଉ, ଯାଉଛ ତ ଯାଅ, କିନ୍ତୁ ଦିନେ ଜାଣି ପାରିବ, ଆଜି ଯାହାକୁ ହରେଇବାର ତମର ଖାତିର ନାହିଁ, ଦୁଃଖ ନାହିଁ ତା ତୁଳନାରେ ଜଗତର ସବୁ ଜିନିଷ ଛୋଟ । ଭାଉଜ, ତମେ ଯାହାପାଇଛ, ତା ଖୁବ୍‍ କମ ଝିଅ ପାଆନ୍ତି, କିନ୍ତୁ ମନେରଖ ତାର ଅପବ୍ୟବହାର କଲେ ତାକୁ ଆଉ ଫେରି ପାଇବ ନାହିଁ ।

 

ସେଇ ବହି ଖଣ୍ଡକ ବିମଳା ହାତରେ ଥିଲା । ତା ଉପରେ ଦୃଷ୍ଟି ପଡ଼ିବାମାତ୍ରେ ଇନ୍ଦୁର ଅନ୍ତଭିତରଟା ଏକାବେଳକେ ହୁ ହୁ ହେଇ ଜଳି ଉଠିଲା । କହିଲା—ଅହଙ୍କାର କରିବାକୁ ଥିଲେ ଲୋକେ କରନ୍ତି । ଏଇଟା ନୂଆକଥା ନୁହେଁ । କିନ୍ତୁ ମୋର ସର୍ବନାଶ ହେବାର ଥିଲେ ହେବ, ଯାହା ଯିବାର ଥିବ ଯିବ ସେଥିପାଇଁ ତୁମେ ମିଛରେ କାହିଁକି ମୁଣ୍ଡ କାଡ଼ୁଛ ବିମଳା ? ଆଉ ମୁଁ ଠିଆ ହୋଇ ତା ଶୁଣିବା ବା ଦରକାର କଣ ? ମୋର ଧରି ରଖିବାକୁ ଇଚ୍ଛା ନାହିଁ, ମୁଁ ରଖିବି ନାହିଁ । ମୋ କପାଳରେ ଯାହା ଭୋଗିବାକୁ ଥିବ ଭୋଗିବି । ସେଥିପାଇଁ ମୁଁ କାହାରି ପରାମର୍ଶ ଚାହେଁନି, କି କା ସାଥିରେ ଝଗଡ଼ା କରିବାକୁ ଚାହେଁନି ।

 

ବିମଳା ଆଉ କିଛି କହିଲା ନାହିଁ । ତା ଅନ୍ତରର ବ୍ୟଥା ଅନ୍ତର୍ଯ୍ୟାମୀଙ୍କ ଛଡ଼ା ଆଉ କେହି ଜାଣିଲେ ନାହିଁ । ଏ ଅପମାନ ପରେ ସେ ଆଉ ଇନ୍ଦୁ ସହିତ ଯୁକ୍ତିତର୍କ କରିବାକୁ ଚାହିଁଲା ନାହିଁ—ଚୁପ୍‌ ରହିଲା ।

 

ଇନ୍ଦୁ ଚାଲିଯିବାକୁ ବାହାରିବାରୁ ବିମଳା କହିଲା—ତୁମେ ସମ୍ପର୍କରେ ମୋ ଠାରୁ ବଡ଼, ଭାଉଜ । ପ୍ରଣାମ କରୁଛି ।

 

ନଅ

 

ସେ ଦିନ ସନ୍ଧ୍ୟାହେବା ସାଙ୍ଗେ ସାଙ୍ଗେ ସମଗ୍ର ଆକାଶରେ ମେଘ ଘୋଟି ଯାଇ ବର୍ଷା ହେବାକୁ ଲାଗିଲା । ଇନ୍ଦୁ କମଳାକୁ କୋଳରେ ଧରି ବିଛଣାରେ ଆସି ଶୋଇ ପଡ଼ିଲା । ଆଜି ତା ସାନ ଭଉଣୀର ସ୍ଵାମୀ ଆସିଥିବାରୁ ପାଖଘରେ ଖିଆପିଆ, ଗପ-ସପ ଲାଗିଥାଏ । ସେମାନଙ୍କ କଥାବାର୍ତ୍ତା, ହାସ ପରିହାସ ଶୁଣି ଇନ୍ଦୁର ଅନ୍ତର ଭିତରଟା କାହିଁକି ଯେମିତି ଲଜ୍ଜାରେ ଭରପୂର ହେଇଗଲା ।

 

ଇନ୍ଦୁ ମେଦିନୀପୁର ଆସିବାର ତିନି ମାସ ହେଇ ଗଲାଣି, ଦି ମାସ ହେଲା ତା ସାନ ଭଉଣୀ ବି ଆସିଅଛି । ଏଇ ଦି ମାସ ଭିତରେ ସାନ ଭଉଣୀର ସ୍ଵାମୀ ମଧ୍ୟ ଛ’ ସାତ ଥର ଆସିଲେଣି । କିନ୍ତୁ ନରେନ୍ଦ୍ର ଥରେ ହେଲେ ବି ଆସିନି, ଏମିତି କିଏ ତିନି ମାସ ଭିତରେ ଚିଠିଖଣ୍ଡେ ସୁଦ୍ଧା ଦେଇନି ।

 

ଏଇ କେତେଦିନ ହେଲା ବି ଏହାରି ଉପରେ ଘରେ କେହି କେହି ଟୁପ୍‌ଟାପ୍‌ ହେବା ଇନ୍ଦୁ ଶୁଣିଲାଣି, କାଳେ ସେ କଥାଟା ସମସ୍ତଙ୍କ ଆଗରେ ସାନ ଭଉଣୀର ସ୍ଵାମୀ କାନକୁ ଯିବ ଏଇ ଭୟରେ ଆତ୍ମ ଗୋପନ କରିବା ପାଇଁ ଇନ୍ଦୁ ଅସମୟରେ ପଳାଇ ଆସି ବିଛଣାରେ ଶୋଇ ପଡ଼ିଥିଲା ।

 

ସ୍ଵାମୀ ଆସୁନାହାନ୍ତି—ଏଥିପାଇଁ ଇନ୍ଦୁ ମନରେ ଦୁଃଖ ହୁଏ କି ନାହିଁ, ସେ ତ ଅଲଗା କଥା, କିନ୍ତୁ ଏଥିପାଇଁ ଲାଜରେ ଯେ ମୁଣ୍ଡ ଛିଣ୍ଡିଯାଏ, ଏକଥା ଇନ୍ଦୁ ଆଦୌ କଳ୍ପନା କରିନଥିଲା । ନରହତ୍ୟା କରି ମଣିଷ ଲୁଚି ବୁଲିଲାଭଳି, ଏଥିପାଇଁ ଯେ ଏମିତି ଲୁଚି ରହିବାକୁ ପଡ଼େ ଏହା ସେ ଭୁଲରେ ସୁଦ୍ଧା ଭାବିନଥିଲା । ସ୍ଵାମୀ ଭଲ ପାଉନାହିଁ—ଏ କଥା ଶୁଣିବା ଠାରୁ ମରିଯିବା ଭଲ, ଏହା ସେ ଆଜି ମର୍ମ୍ମେ ମର୍ମ୍ମେ ଅନୁଭବ କରିପାରିଲା ।

 

ଏତେଦିନ ଧରି ସ୍ଵାମୀ ଘରେ, ସ୍ଵାମୀ ପାଖରେ ରହି, ତାଙ୍କୁ ବହୁ ସମୟରେ ବହୁ ବ୍ୟଥା ଦେଇ ଆସିଛି, କଥା କଥାକେ ନିଜ ବାପଘରର ବଡ଼େଇ କରି ତାକୁ ଝିଙ୍ଗାସିଛି, ନିଜର ମାନ ମର୍ଯ୍ୟାଦା, ସମସ୍ତ ବଖାଣି ହେଉଛି, ପଦେ ପଦେ ତାକୁ ଅପଦସ୍ତ କରିଛି, କିନ୍ତୁ ତାର ଆଜି ଯେମିତି ମନେହେଲା ସେ ପର ଘରେ ଆସି ଆଶ୍ରୟ ନେଇଛି, ମୁହଁ ଟେକି ପଦେ କଥା କହିବାକୁ ତା’ର ଶକ୍ତି ନାହିଁ । ତା’ର ସବୁ ଆତ୍ମାଭିମାନ, ସବୁ ଅହଙ୍କାର ଧୂଳିସାତ୍‌ ହୋଇ ଯେମିତି ମାଟିରେ ମିଶି ଯାଇଛି-। ସେ ଆଜି ନିରାଶ୍ରୟ ନିଃସହାୟ ହୋଇ ପଡ଼ିଛି । ଅଣ୍ଟା ସଳଖି ଠିଆ ହେବା ପାଇଁ ତାର ବଳ ନାହିଁ-। ସ୍ଵାମୀ ପାଖକୁ ଫେରିଯାଇ ତାଙ୍କ ପାଦ ତଳେ ପଡ଼ି, ଗୋଡ଼ ହାତ ଧରି କ୍ଷମା ମାଗିନେବା ପାଇଁ ତାର ପ୍ରାଣ ଆକୁଳ ହୋଇ ଉଠିଲା । ତାକୁ ଜଣାପଡ଼ିଲା ତା ସ୍ଵାମୀ ଯେମିତି ଜଗତର ସବୁ କିଛି ଜିନିଷ ଠାରୁ ଅତି ଉଚ୍ଚରେ ।

 

ତାର ମନେ ହେଲା ଆଜି ଯେମିତି ସମସ୍ତଙ୍କ ପାଖରେ କରୁଣା ପ୍ରାର୍ଥିନୀ ମୁହଁକୁ ଚାହିଁବା ମାତ୍ରେ ସମସ୍ତେ ଯେମିତି ତାକୁ ମୁହଁ ବୁଲେଇ ଚାଲିଯାଉଛନ୍ତି । କମଳା ଯେମିତି ଆଜି ସଭିଙ୍କର ଦୟାର ପାତ୍ର ହୋଇଛି ।

 

ଏ ବିଷୟରେ ଇନ୍ଦୁ ଯେତିକି ଭାବିଲା ତା ଅନ୍ତର ସେତିକି କାନ୍ଦି ଉଠିଲା । ବାପ ଘରେ ଆଉ ମୁହୁର୍ତ୍ତେ ରହିବା ପାଇଁ ତାର ମନ ପଡ଼ିଲା ନାହିଁ ।

 

ଏ ଭିତରେ ଯେ କେତେ ବେଳେ କମଳା ମୁହଁ ଶୁଖେଇ ବସି କାନ୍ଦୁଛି ସେ ଆଡ଼ିକି ତାର ଲକ୍ଷ୍ୟ ନାହିଁ । ହଠାତ୍‌ ଦୃଷ୍ଟି ପଡ଼ିବା ମାତ୍ରେ କମଳାକୁ କୋଳକୁ ଟାଣି ନେଇ ପଚାରିଲା କାହିଁକି କାନ୍ଦୁଛୁ ମା ?

 

କମଳା କୋହକି ଉଠି କହିଲା—ବାପାଙ୍କ କଥା ମନେ ପଡ଼ି ମନଟା କାହିଁକି କେମିତି ହୋଇ ଯାଉଛି ମା ।

 

ଇନ୍ଦୁର ଛାତି ଉପରେ ଯେମିତି କେହି ହାତୁଡ଼ିର ପାହାର ବସେଇ ଦେଲା । ସେ ପ୍ରାଣ ପଣେ କମଳାକୁ ଛାତିରେ ଜାକି ଧରି କୋହକି କୋହକି କାନ୍ଦି ଉଠିଲା । ମା ଝିଅ ପରସ୍ପର କୁଣ୍ଢାଇ ଧରି କାନ୍ଦି ରାତି ପୁହାଇଲେ ।

 

ଇନ୍ଦୁ ବତେଇ ଦେଲାକି କଣ, ସକାଳେ ଉଠି କମଳା ବାପା ପାଖକୁ ଯିବାକୁ ଯିଦ୍‌ ଧରି ବସିଲା । ଯେତେ ପ୍ରକାର ବୁଝଇଲେବି ସେ ବୁଝିଲା ନାହିଁ । ଇନ୍ଦୁ ଶେଷରେ ଭାଇଙ୍କ ପାଖକୁ ଆସି କହିଲା—କମଳା ତା ବାପାଙ୍କ ପାଖକୁ ଯିବାପାଇଁ ଅଳି କରୁଛି ଯେତେ ବୁଝାଇଲେ ବୁଝୁନି । ମୁଁ ତାକୁ ଧରି ଆଜି ଦିପହର ଗାଡ଼ିରେ ଚାଲି ଯାଉଛି ।

 

ଭାଇ ଆପତ୍ତି କଲେନି, ବଳେଇଲେନି କହିଲେ—ହଉ ଯାଆ । ନରେନ୍ଦ୍ର ଚିଠିପତ୍ର କଣ ଦେଇଥିଲା ?

 

ଇନ୍ଦୁ ମୁଣ୍ଡ ହଲାଇ କହିଲା—ହଁ !

 

ଭଲ ଅଛି ତ ?

 

ହଁ ଅଛନ୍ତି ।

 

ଦଶ

 

ବିମଳା ଅବାକ ହୋଇ ପଚାରିଲା—କେତେ ବେଳେ ଆସିଲ ଭାଉଜ ?

ଏଇ ବର୍ତ୍ତମାନ ତ ଗାଡ଼ିରୁ ଓହ୍ଲାଇ ଆସୁଅଛି । ଗାଡ଼ିବାଲା ଗାଡ଼ି ଭିତରୁ ଜିନିଷ ପତ୍ର ବାହାର କରି ଆଣି ପିଣ୍ଡାରେ ରଖିଲା ।

ବିମଳା ତା’ ଦେଖି ମନେ ମନେ ଅତ୍ୟନ୍ତ ବିରକ୍ତ ହୋଇ କହିଲା—ଏ କଣ ଭାଉଜ ! ଘରକୁ ନଯାଇ ଏଠି ଓହ୍ଲେଇଲ କାହିଁକି ?

କମଳାକୁ ଘରପାଖରେ ଓହ୍ଲେଇ ଦେଇ ଆସିଛି । ସେ ବାପା ପାଖକୁ ଆସିବାକୁ ଜିଦ୍‌ ଧରିଲା ବୋଲି ଚାଲିଆସିଲି, ନହେଲେ ଏଇଲେ ଆସି ନଥାନ୍ତି ।

ବିମଳା ଦୀର୍ଘନିଶ୍ଵାସ ଛାଡ଼ି କହିଲା—ନ ଆସିଥିଲେ ଭଲ ହେଇଥାଆନ୍ତା ଭାଉଜ । ସେଠିକି ଯାଇ ତୁମର ଆଉ ଲାଭ କଣ ?

ଇନ୍ଦୁର ଛାତି ଭିତରଟା ଧଡ଼ାସ୍‌ କରି ହେଇଗଲା । ସେ ଭୀତ ଦୃଷ୍ଟିରେ ଚାହିଁ ରୁଦ୍ଧ ସ୍ଵରରେ ପଚାରିଲା—କାହିଁକି ବିମଳା ?

ବିମଳା ଗମ୍ଭୀର ସ୍ଵରରେ କହିଲା—ପରେ ଶୁଣିବ, ଆଗେ ଲୁଗାପଟା ପାଲଟି ମୁହଁ ହାତ ଧୁଅ । ଯାହା ହେବାର ହୋଇ ଯାଇଛି—ଆଜି, ଏଇଲାଗେ ଶୁଣିଲେ ଯାହା, ଆଉ ଦି ଦିନ ପରେ ଶୁଣିଲେ ସେୟା ।

ଇନ୍ଦୁ ଥକ୍କାମାରି ବସି ପଡ଼ିଲା । ମୁହଁଟା ଫିକା ପଡ଼ିଗଲା, ଗୋଡ଼ ହାତ ଭାଙ୍ଗି ପଡ଼ିଲା ପରି ଲାଗିଲା । ଅଜଣା ଭୟରେ ତା ଛାତି ଭିତରଟା ଥରି ଉଠିଲା । ରୁଦ୍ଧ ସ୍ଵରରେ କହିଲା—ତମ ଗୋଡ଼ତଳେ ପଡ଼ୁଛି ବିମଳା, ମତେ ଏଇଲାଗେ କହ । ନହେଲେ ପାଣି ଟୋପେ ବି ମୁହଁରେ ଦେବି ନାହିଁ । ଆସିଲା ବେଳେ ସେ ବାରଣ୍ଡାରେ ବସିଥିଲେ, ଦେଖି ଆସିଛି । ତେବେ ମୋର ଆଉ ସେଠିକି ଯିବା କାହିଁକି ଦରକାର ନାହିଁ, ମତେ କହ ।

 

ବିମଳା କିଛିକ୍ଷଣ ନୀରବ ରହି, ଦୀର୍ଘନିଶ୍ଵାସ ଛାଡ଼ି କହିଲା—ପ୍ରକୃତରେ ସେ ଘରେ ତମର ଥାଉ ଜାଗା ନାହିଁ ଭାଉଜ । ଏଇଲେ ସେଠିକି ତୁମର ଯିବା ଯାହା ନ ଯିବା ସେୟା । ବରଂ ବାପ ଘରକୁ ଫେରିଯାଅ । ସେଠିକି ଗଲେ ତୁମେ ରହି ପାରିବ ନାହିଁ ।

 

ଇନ୍ଦୁ କୋହ ଚାପି କହିଲା—ମୁଁ ଆଉ ଧୈର୍ଯ୍ୟଧରି ରହି ପାରୁନି ବିମଳା, କଣ ହୋଇଚି ମତେ ସବୁ ଖୋଲି କରି କହ । ସେ ଆଉ ଥରେ ବିବାହ କରିଚନ୍ତି ?

 

ତମର ବିଶ୍ଵାସ ହେଉଚି ?

 

ନା, ମୋର ଆଦୌ ବିଶ୍ଵାସ ହେଉନି । ମୋର ଅପରାଧ ଯେତେ ବଡ଼ ହେଉନା କାହିଁକି ସେ ଯେ ଏତେ ବଡ଼ ଅନ୍ୟାୟ କେବେହେଲେ କରିବେନି ତା ମୁଁ ଜାଣେ । ତେବେ, ମୋର ସେ ଘରେ କାହିଁକି ଆଉ ସ୍ଥାନ ନାହିଁ ମତେ କହିବ ନାହିଁ ?

 

କହୁ କହୁ ତା ଆଖିରୁ ଝର ଝର ହୋଇ ଲୁହ ଝରିପଡ଼ିଲା ।

 

ବିମଳା ଆଖିରେ ବି ଲୁହ ସମ୍ଭାଳିଲା ନାହିଁ । ସେ ଲୁଗା କାନିରେ ଆଖିପୋଛି କହିଲା–ମୁଁ କଣ କହି ତୁମକୁ ବୁଝେଇବି ଯେ ସେ ଘରେ ତୁମର ଆଉ ସ୍ଥାନ ନାହିଁ, ଭାବି ପାରୁନି ଭାଉଜ-। ଶମ୍ଭୁବାବୁଙ୍କ ଟଙ୍କା ସୁଝିନପାରି ଭାଇଙ୍କୁ ଜେଲ—

 

ବିମଳା ଆଉ କହି ପାରିଲା ନାହିଁ । ଇନ୍ଦୁର ସର୍ବାଙ୍ଗ ଶରୀର କଣ୍ଟାରେ ଫୋଡ଼ି ହେଇଗଲା ପରି ଲାଗିଲା । ସେ ରୁଦ୍ଧ ସ୍ଵରରେ ପଚାରିଲା—ତା’ ପରେ ?

 

ତା’ ପରେ ଆଉ କଣ ! ଆମେ ସେତେବେଳକୁ ଯାଇ କାଶୀରେ । ଶମ୍ଭୁବାବୁ ଟଙ୍କା ଯୋଗାଡ଼ କରିବା ପାଇଁ କୁଆଡ଼େ ଦି ଦିନ ସମୟ ଦେଲେ । କିନ୍ତୁ ଚାରିହଜାର ଟଙ୍କା ଦି ଦିନ ଭିତରେ ଯୋଗାଡ଼ କରିବା ତ ସହଜ ନୁହେଁ ! ଶେଷରେ ଭାଇଙ୍କୁ ଜେଲ ଯିବାକୁ ପଡ଼ିଲା । ଯିବାପୂର୍ବରୁ ସେ ମୋ ପାଖକୁ ଭୋଳା ହାତରେ ଖବର ଦେଇ ପଠାଇଲେ । କିନ୍ତୁ ସେତେବେଳକୁ ଆମେ କାଶୀରୁ ଏହ୍ଲାବାଦ ଚାଲି ଆସିଥିଲୁ । ଭୋଳା ଖୋଜି ଖୋଜି ଯାଇ ଦଶଦିନ ପରେ ମତେ ଖବର ଦେଲା । ଖବର ପାଇ ମୋ ଦେହରୁ ପ୍ରାଣ ଛାଡ଼ି ଗଲାପରି ଲାଗିଲା, ଗୋଡ଼ ହାତ ଚଳିଲା ନାହିଁ । ମୁହୁର୍ତ୍ତେ ଆଉ ଡେରି ନ କରି ସାଙ୍ଗେ ସାଙ୍ଗେ ଘରକୁ ଫେରି ଆସିଲୁ । ମୋ ପାଖରେ ତ ନଗଦ ଟଙ୍କା ନଥିଲା, ଗହଣା ଗାଣ୍ଠି ଯାହାଥିଲା, ସବୁ ବନ୍ଧା ପକେଇ ଟଙ୍କା ଯୋଗାଡ଼ କରି, ଶମ୍ଭୁବାବୁଙ୍କ ଟଙ୍କା ସୁଝି ଏଗାର ଦିନ ପରେ ଭାଇଙ୍କୁ ଜେଲରୁ ମୁକୁଳେଇ ଆଣିଲି ।

 

ଇନ୍ଦୁ ଆଖିପୋଛି କହିଲା—ମେଦିନୀପୁର ତ ବେଶି ଦୂର ନୁହେଁ । ମୋର ତ ଗହଣାଗାଣ୍ଠି ଥିଲା, ମତେ ଖବର ଦେଇ ଥିଲେ କଣ—

 

କିନ୍ତୁ କୋଉ ମୁହଁରେ ସେ ଆଉ ତୁମ ପାଖକୁ ଖବର ଦେଇଥାଆନ୍ତେ ! ସେ ଦମ୍ଭ ତ ତାଙ୍କର ଆଉ ନଥିଲା । ଜେଲ ଭୋଗିବାକୁ ସ୍ଥିର କରିନେଲେ ସିନା, କିନ୍ତୁ—

 

ଇନ୍ଦୁ ଆଉ କିଛି କହି ପାରିଲା ନାହିଁ । ଗୋଟିକ ପରେ ଗୋଟିଏ ଗହଣା ନିଜ ଅଙ୍ଗରୁ ବାହାର କରି ବିମଳାର ପାଦତଳେ ଥୋଇ କହିଲା—ଏସବୁ ଗହଣା ବଦଳରେ ତମର ଅଳଙ୍କାରତକ ଫେରାଇ ଆଣ; ମୁଁ ତାଙ୍କ ପାଖକୁ ଚାଲିଲି । ତମେ କହୁଛ ନା ତାଙ୍କ ନିକଟରେ ଯୋଗ୍ୟ....ଯେଉଁ ପ୍ରାଚୁର୍ଜ୍ୟର ଅହମିକା ମୋତେ ଏପର୍ଯ୍ୟନ୍ତ ତାଙ୍କ ନିକଟରୁ ଦୂରେଇ ରଖିଥିଲା ସେ ସବୁ ଏବେ ତମ ପାଦତଳେ ଫୋପାଡ଼ି ଦେଇ ମୁଁ ମୋ ସ୍ଥାନ ଦଖଲ କରିବାକୁ ଯାଉଛି । ହଁ, ଆସନ୍ତା କାଲି ଅନ୍ତତଃ ଥରଟିଏ ପାଇଁ ଆସିବ ନିଜ ଭାଇ—ଭାଉଜଙ୍କୁ ଦେଖିବା ପାଇଁ....ନିଶ୍ଚେ ଆସିବଟି.....ମୁଁ ଚାଲିଲି !!’’ ଇନ୍ଦୁ ଏହା କହି କହି ଦ୍ରୁତ ପଦକ୍ଷେପରେ ବାହାରିଗଲା, ବାରଣ୍ଡାରେ ଠିଆ ହୋଇ ଲୁହ ପୋଛୁ ପୋଛୁ ବିମଳା କହୁଥିଲା—

 

‘‘ଆ’ରେ ଭୋଳା ! ମା’ ଙ୍କ ସାଙ୍ଗରେ ଯାଆରେ.....’’

Image